ଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ସିଆରସିସିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ କର୍ତ୍ତବ୍ୟ ପରାୟଣ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବୋଦାପଡ଼ା କ୍ଲଷ୍ଟରରୁ ଅବସର ଗ୍ରହଣ କରିଥିବା ଦୁଇଜଣ ପ୍ରଧାନଶିକ୍ଷକ ଏବଂ ଏହି କ୍ଲଷ୍ଟର ସିଆରସିସିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ସିଆରସିସି ନରସିଂହ ସ୍ୱାଇଁ, ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ମୁଦୁଲି,ଏବଂ ସୁରେନ୍ଦ୍ର କୁମାର ନାୟକଙ୍କ ନିମନ୍ତେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଶିକ୍ଷକନେତା ବଟକୃଷ୍ଣ ମିଶ୍ର, ସିଆରସିସି ସୁରେଶ ଦାଶ, ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ଲଡ଼ୁକିଶୋର ପୃଷ୍ଟି, ଭଗବାନ ପଣ୍ଡା ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କ ବିଭିନ୍ନ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଳକ ପ୍ରାଥମିକ ଶିକ୍ଷକସଂଘ ସଭାପତି ବିପିନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଦାୟୀ ଶିକ୍ଷକମାନଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷକ ସଫିକୁଦ୍ଦିନ ଅହମ୍ମଦ ଏବଂ ରବିନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ।

Related posts