ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି l ସେବା ସମିତି ପକ୍ଷରୁ ଚଳିତ ବର୍ଷ ସପ୍ତମ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି l ପୂର୍ବରୁ ଏହି ସେବା ଉତ୍ସବ ଜରିଆରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଶିବିର, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ଚଷମା ବଣ୍ଟନ, ଅନ୍ନଦାନ, ବସ୍ତ୍ରଦାନ ପ୍ରଭୃତି ସେବା ଭିତ୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l

ନୟାଗଡ଼ ସହରର ଦୁର୍ଗା ମଣ୍ଡପରେ ସେବା ଉତ୍ସବ ଉଦ୍ଘାଟନ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଅଧ୍ୟକ୍ଷା ନିରୁପମା ଖଟେଇ ,ସମାଜସେବୀ ଦାମଦୋର ସାହୁ, ଜଳ ଓ ମୂର୍ତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ଜିଲ୍ଳାର ବହାଡଝୋଲା ଓମ୍ ଶ୍ରୀ ସାଇ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ ଓ ମୟରଭଞ୍ଜ ଜିଲ୍ଲାର ପଲ୍ଲବୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ପକ୍ଷରୁ ଗୁଲସନ ଦାଶ, କରଣ ବାଡ଼ତିଆ, ପ୍ରସନ କୁମାର ସାହୁ, ଏସ. ବିଜୟଲକ୍ଷ୍ମୀ, ଲିଙ୍କୁନ ସାହୁ,ବର୍ଷା ପ୍ରିୟଦର୍ଶିନୀ, ଲାଲମୋହନ କହର, ଯୁଧିଷ୍ଠିର କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ l ଅନ୍ୟପକ୍ଷେ ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ୧୫ଦିନ ଧରି ଜିଲ୍ଲାର ବିଭିର୍ଣ୍ଣ ଦୁର୍ଗମ ଅଂଚଳରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୧୫ରେ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l
