ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ସକ୍ରିୟ ଅବଦାନ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୂଚନା ଥାଉକି ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ସଦସ୍ୟମାନେ ଅହରହ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସମୟରେ ପଶୁପକ୍ଷୀମାନଙ୍କ ଜଳପାନ ସୁବିଧା ସହ ବିଭିନ୍ନ ଦେବାଳୟରେ ପଲିଥିନ୍ ବ୍ୟବହାର କମ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ନିଜସ୍ଵ ଉଦ୍ୟମରେ ବାଉଁଶ ଚାଙ୍ଗୁଡ଼ି ବଣ୍ଟନ ସହ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନଠାରୁ ସମ୍ବର୍ଦ୍ଧିତ ହେବା ସହ ରାଜ୍ୟ ସରକାଙ୍କଠାରୁ ଏହି ସମ୍ମାନ ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ‘ଅନନ୍ୟା ଫାଉଣ୍ଡେସନ’କୁ ଏହି ସମ୍ମାନ ଆସନ୍ତା ଜୁନ୍ ୫ରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ଼୍ୟ ଉତ୍ସବରେ ଲୋକସେବା ଭବନ ପରିସରରେ ଥିବା ସଭାକକ୍ଷରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଚିଠିରେ ସୂଚନା ଦିଆଯାଇଛି। ଏହି ସମ୍ମାନ ପାଇ ଅନନ୍ୟା ଫାଉଣ୍ଡେସନର ସମସ୍ତ ସଦସ୍ୟ ଖୁସି ଥିବା ବେଳେ ଏହି ସମ୍ମାନ ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

