ଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର କମିଟି

ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର କମିଟି। ପାଠାଗାର କମିଟିର ୧୨ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକମାନେ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ ବିଶ୍ବସ୍ତରୀୟ ଭାବେ ବିକଶିତ ପାଇଁ ଓଡିଶା ବିଧାନ ସଭା ପାଠାଗାର ଗୃହ କମିଟି ପକ୍ଷରୁ ଖୁବଶୀଘ୍ର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ କରାଯିବ ବୋଲି ଗୃହ କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଓ ମାନ୍ୟବର ବିଧାୟକମାନେ ମତ ପ୍ରକାଶ କରିଥଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ, ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଓଡିଶା ବିଧାନ ସଭାର ବହୁ ଉଚ୍ଚ ପଦସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଦାସିଆ ଅଜାଙ୍କ ସାଧନା ପୀଠରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଧାୟକମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଧାୟକମାନଙ୍କୁ ଦେଖିବା ପାଇଁ ଦାସିଆ ଅଜାଙ୍କ ସାଧନା ପୀଠ ଆଜି ଲୋକାରଣ୍ୟ ହୋଇ ପଡ଼ିଥିଲା।

Related posts