ଜିଲ୍ଲା ମିଳିତ ଅମଲା ମଞ୍ଚର ଚେତାବନୀ, ୧ରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ମିଳିତ ମଞ୍ଚ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ରଶ୍ମୀରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ ଓ ଆବାହକ ଶ୍ରୀଧର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି ଡାକରା ଦିଆଯାଇଥିଲା । ରାଜ୍ୟ ସରକାର ସେମାନଙ୍କ ଦାବି ପୁରଣ ନକଲେ ଆସନ୍ତା କାଲିଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ଏଥି ସହିତ ଆସନ୍ତା ୧ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସଂଘର କର୍ମକର୍ତା ମାନେ ସମୁହ ଛୁଟି ନେବେ ବୋଲି ଚେତାବନୀ ଦେଇଛନ୍ତି । ସମୁହ ଛୁଟି ସମୟରେ ଜିଲ୍ଲା ସଦର ମହକୁମାର ସମସ୍ତ ଅମଲା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ । ସେହିପରି ବ୍ଲକ ସ୍ତରୀୟ ଅମଲା ମାନେ ସେମାନଙ୍କ ବ୍ଲକ ଅଫିସ ପରିସରରେ ବସି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ । ସମୁହ ଛୁଟି ସମୟରେ କେହିହେଲେ ହେଡକ୍ବାର୍ଟର ଛାଡି ବାହାରକୁ ନଯିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି । କାଲିଠାରୁ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟ ତୁଲାଇବେ । ସେମାନଙ୍କର ମୁଖ୍ୟ ଦାବି ସ୍ନାତକ ଶିକ୍ଷା ଭିତିକ ଯୋଗ୍ୟତା ଦରମା ପ୍ରଦାନ କରାଯାଉ ବୋଲି ଦାବି ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Related posts