ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ, ୨ମୃତ ୩ଗୁରୁତର

ଖଣ୍ଡପଡା,ଗଣିଆ,(ନୟାଗଡ଼ ଦର୍ପଣ): କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୩ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ ଆଜି ଅପରାହ୍ନ ୪ଟା ସମୟରେ ଖଣ୍ଡପଡା -ଖଲିସାହି ରାସ୍ତା ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ସମୟରେ କାଳବୈଶାଖୀ ପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଖଲିସାହି ଗ୍ରାମର ରଶ୍ମିତା ନାୟକ।

ସେହିଭଳି କାଳବୈଶାଖୀ ପ୍ରଭାବରେ ଗଣିଆ ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ମାଧବେରେନି ଗ୍ରାମର ପଦ୍ମନାଭ ଖଟୁଆ । ସୂଚନା ଅନୁସାରେ ପଦ୍ମନାଭ ଆଇସ୍କ୍ରିମ ବେପାର ସାରି ଅପରାହ୍ନରେ ନିଜ ଘରକୁ ଫେରିବା ବାଟରେ ଆମ୍ବ ଗଛଡ଼ାଳ ଭାଙ୍ଗି ଯାଇ ପଦ୍ମନାଭଙ୍କ ମୁଣ୍ଡରେ ପଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପଦ୍ମନାଭ ଖଟୁଆଙ୍କୁ ନିକଟସ୍ଥ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପଦ୍ମନାଭଙ୍କ ମୁଣ୍ଡ ଫାଟି ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ଡାକ୍ତର ମଧୁସୂଦନ ଦାସ ପଦ୍ମନାଭଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts