ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ପ୍ରକାଶ ୨୦୧୩ ମସିହା ଫେବୃଆରୀ ୨ ତାରିଖଦିନ ଇଟାମାଟି ଥାନା ତଥା ନୟାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି ସକାଳ ସାଢ଼େ ୭ଟା ବେଳେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜ ମିଲକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୯ଜଣ ମୁଦାଲା ଚାପଡ଼, ଫାର୍ସା ଏବଂ ବନ୍ଧୁକ ସାହାଯ୍ୟରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବହୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାର ପ୍ରତିବାଦରେ ପୁରୁଷୋତ୍ତମପୁର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।
ଏ ନେଇ ପୋଲିସ ପକ୍ଷରୁ ଇଟାମାଟି ଥାନା କେଶ ନଂ-୧୬/୨୦୧୩ ଏବଂ ଦଫା ୩୦୨ରେ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଶାନ୍ତ ମଣ୍ଡଳ, ନିତ୍ୟାନନ୍ଦ ସାହୁ, ଶିବ କର, ଆନନ୍ଦ ସାହୁ, ବସନ୍ତ ସାହୁ, ନିରଂଜନ ମଣ୍ଡଳ, ରମାମଣି ଜେନା, ସହଦେବ ମଣ୍ଡଳ ଏବଂ ନିରଂଜନ ଜେନାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୦ବର୍ଷ ଧରି ଚାଲିଥିବା ଏହି ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୧୬ ଜଣ ସାକ୍ଷୀ ଏବଂ ତଥ୍ୟ ପ୍ରମାଣକୁ ଆଧାର କରି ଚୂଡ଼ାନ୍ତ ରାୟରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାଜଜ ଲିଲି ସେନାପତି ମୁଖ୍ୟ ଆସାମୀ ପ୍ରଶାନ୍ତ ମଣ୍ଡଳ, ନିତ୍ୟାନନ୍ଦ ସାହୁ, ଶିବ କର ଏବଂ ଆନନ୍ଦ ସାହୁଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନ୍ୟ ଆସାମୀଙ୍କ ମଧ୍ୟରୁ ସହଦେବ ମଣ୍ଡଳ ଏବଂ ନିରଂଜନ ଜେନାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆସାମୀ ବସନ୍ତ ସାହୁ, ନିରଂଜନ ମଣ୍ଡଳ ଏବଂ ରମାମଣି ଜେନାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ମାମଲାରେ ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନୱାର ମଲ୍ଲିକ ମାମଲା ପରିଚାଳନା କରୁଥିଲେ।