ବ୍ଳକ ପ୍ରଶାସନର ‘ଗାଁ କୁ ଚାଲ ଅଭିଯାନ’

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁର୍ଗମ ଗାଁ ଗୁଡିକୁ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ନେଇ ଆରମ୍ଭ ହୋଇଛି ‘ଗାଁ କୁ ଚାଲ ଅଭିଯାନ’। ଏନେଇ ବ୍ଲକ ପ୍ରଶାସନ ତରଫରୁ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ସ୍ଥାନୀୟ ସରପଞ୍ଚ ସୁନିତା ବାରିକ, ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ଦୀପକ କୁମାର ସାହୁ, ଯୋଗାଣ ଅଧିକାରୀ ସୁବ୍ରତ ମଲ୍ଲିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ ରାଜସ୍ବିନୀ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣୀ ପ୍ରଧାନ, ଗ୍ରାମ ରୋଜଗାର ସେବକ ଜଗଦୀଶ ଷଡଙ୍ଗୀ ପ୍ରମୁଖ ଓସ୍ତିଆ ଆଶ୍ରମ ବିଦ୍ୟାଳୟ ପରିସରରେ ପହଞ୍ଚି ଜୀବନଶୈଳୀ, କର୍ମସଂସ୍ଥାନ, ସରକାରୀ ସୁବିଧା ସହିତ ଗାଁରେ ରହିଥିବା ମୌଳିକ ଅସୁବିଧା ବିଷୟରେ ଗାଁ’ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ଜନଶୁଣାଣି ଶିବିରରେ କନ୍ଧନୂଆପଲ୍ଲୀ, ଦୁରୁଦା, ଧବଳେଇ, ନିହଲ ପ୍ରସାଦ, ଓସ୍ତିଆମାଳ, ପୋଡାସାହି, ନେପାଳ, ବାଣ୍ଠପୁର, ଭୋବସର, ଶାଳିଆଝରି, ଚେମେଡି ଆଦି ୧୧ଗୋଟି ଆଦିବାସୀ ଗାଁ’ର ଲୋକେ ସାମିଲ ହୋଇ ନିଜ ନିଜର ସମସ୍ୟା ସମ୍ପର୍କରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ଶିବିରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ମୋଟ ୧୫୦ ଗୋଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୪୦ଟି ନାମ ସଂଯୋଗୀକରଣ ଏବଂ ୧୦ଟି ନୂତନ କାର୍ଡ଼ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ଭତ୍ତା ଉପରେ ୫୨ଟି ଅଭିଯୋଗରୁ ୨୦ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରାଯାଇଛି। ଗିରିଡ଼ିଆତ୍ମା ଓ ନେପାଳ ଗ୍ରାମକୁ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରିବାକୁ ୧୩ଲକ୍ଷ ଟଙ୍କା ଅର୍ଥ ରାଶି ମଞ୍ଜୁର କରାଯାଇଛି। ପୋଡ଼ାସାହି ଏବଂ ନାଣ୍ଡିଗିରି ଗ୍ରାମରେ ଅଚଳ ହୋଇ ପଡିଥିବା ବୃହତ ପାନୀୟଜଳ ପ୍ରକଳ୍ପକୁ ସଚଳ କରାଯିବ ବୋଲି ପାନୀୟଜଳ ଯୋଗାଣ ବିଭାଗକୁ ବିଡ଼ିଓ ନିର୍ଦ୍ଦେଶ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବାକୁ କହିଛନ୍ତି।

Related posts