ଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ସମିତି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ପ୍ରଥମ ତ୍ରୈମାସିକରେ ଗର୍ଭଧାରଣର ପଞ୍ଜୀକରଣର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ନୟାଗଡ଼ ସଦର, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ବ୍ଲକରେ ଆଣ୍ଟେନାଟାଲ୍ ଚେକ୍ଅପର ସଠିକ ଭାବେ ରିପୋର୍ଟ୍ ହେଉ ନ ଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସଠିକ ପଦକ୍ଷେପ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସିଡିପିଓମାନେ ତତ୍ପର ହେବାପାଇଁ କହିଥିଲେ ।

ଆମ ହସ୍ପିଟାଲରେ ସାମିଲ ହୋଇଥିବା ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏଥିପାଇଁ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ କାମକରୁଥିବା ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡିକର ନିରୀକ୍ଷଣ ଓ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ ସୁଧାଂଶୁ ଶେଖର ଷଡଙ୍ଗୀ, ଶିଶୁରୋଗ ବିଶେଷଜ୍ଞ ଡାଃ ତିଳୋତ୍ତମା ଷଡଙ୍ଗୀ, ଚିକିତ୍ସା ବିଶେଷଜ୍ଞ ଡାଃ ସିଦ୍ଧାର୍ଥ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତ ପ୍ରଦାନ କରିଥିବା ବେଳେ ଜିଲ୍ଲା ସହପରିଚାଳକ (ଆଇନ୍) ଅଜିତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts