ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ଏବଂ ‘ ଆମ ନୟାଗଡ଼ ଓ ଚଳଚିତ୍ର ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ ତାର ୨ୟ ସଂନ୍ଧ୍ୟାରେ ଦଶପଲ୍ଲା ଗାନ୍ଧୀ ମୈଦାନରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ୨ୟ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଯୋଗଦେଇ ଥିଲେ । ଏହି ଅବସରରେ ଚମକର ଉପଦେଷ୍ଟା ହାଡ଼ିବନ୍ଧୁ ମହାଖୁଡ଼, ଉପ ସଭାପତି ଶରତ କୁମାର ସାହୁ, ସଂପାଦିକା ଶୁଭଶ୍ରୀ ସନମ୍
ଦାଶ ସମେତ କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଚମକ ମାଧ୍ୟମରେ ସମାଜରୁ କିଭଳି ଅନ୍ଧ ବିଶ୍ବାସ, କୁସଂସ୍କାର ଦୂରୀଭୂତ ହେବା ସହ ସୁସ୍ଥ ସମାଜ ଗଠନ ହୋଇ ପାରିବ ସେନେଇ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ। ମହାବୀରକ୍ଷେତ୍ର ଦଶପଲ୍ଲାରେ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ପାଇଁ ଓଡ଼ିଶା ସରକାର ଆଜି ଦଶପଲ୍ଲା କୁଞ୍ଜବନଗଡ଼କୁ ଲୋକକଳା ଗ୍ରାମର ମାନ୍ୟତା ପ୍ରଦାନ କରିଛନ୍ତି।

ଏଣୁ ସମାଜରୁ ଅଜ୍ଞାନ, ଅନ୍ଧକାର, କୁସଂସ୍କାର ଆଦିକୁ ଦୂରୀଭୂତ କରିବା ପାଇଁ ‘ଚମକ’ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ୧୫ ଟି ବିଷୟବସ୍ତୁ ଉପରେ ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଅସ୍ପୃଶ୍ୟତା, ଭ୍ରୂଣହତ୍ୟା, ପେଟ ପାଇଁ ନାଟ, ଜୟଭୀମ ଛୁଆଁ ଅଛୁଆଁ, ମୋ ଦଶପଲ୍ଲା ଆଦି ଦୃଶ୍ୟ ଦର୍ଶକମାନଙ୍କୁ ବେଶ୍ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ୩୦ଟି ଜିଲ୍ଲାରୁ କଳାକାର ମାନେ ନିଜର କଳା ପ୍ରଦର୍ଶନ କରି ବିଭିନ୍ନ ସଚେତନମୂଳକ କାର୍ଯ୍ୟ ପ୍ରଚାରପ୍ରସାର କରିଥିଲେ । ଏପରି ଚଳଚ୍ଚିତ୍ର ପରିବେଷଣ ଦ୍ବାରା ସମାଜର କୁସଂସ୍କାର, ଅନ୍ଧ ବିଶ୍ଵାସ ଓ ବିଶୃଙ୍ଖଳିତ ସମାଜକୁ ସୁସ୍ଥ ସମାଜରେ ଗଠନ କରିବାରେ ସହାୟକ ହୋଇପାରିବ ବୋଲି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା କହିଥିଲେ । ପ୍ରଶାସକ ଶ୍ରୀ ସତ୍ୟବ୍ରତ ସାହୁଙ୍କ ପ୍ରେରଣାରେ ଆଜିର କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ କାର୍ଯ୍ୟକ୍ରମକୁ ଆଗକୁ
ନେବାରେ ସହାୟକ ହୋଇଥିବା ଜଣାପଡ଼ିଛି। ଏଥିରେ ଆମ ନୟାଗଡ଼ ଓ ‘ଚମକ’ର ତଥା ଦଶପଲ୍ଲା ଅଞ୍ଚଳର ସମାଜସେବୀ, ସଂସ୍କାରକ, ଶିକ୍ଷାବିତ୍ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗରେ ଏତେବଡ଼ କାର୍ଯ୍ୟକ୍ରମ ହୋଇ ପାରିଥିବା ସୂଚନା ମିଳିଛି ।
