ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ

‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ସଂଯୋଜକ ସଂଜୟ କୁମାର ସ୍ୱାଇଁଙ୍କ ଆବହକତ୍ୱରେ ନୟାଗଡ଼ ବ୍ଲକ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଛନ୍ତି । କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ସାହିତ୍ୟ ସଭା ପାଇଁ ନିମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସଂଯୋଜକ ଧିରେନ୍ଦ୍ର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଫେବୃୟାରୀ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମହୋତ୍ସବ କରାଯିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା କରାଯିବା ପାଇଁ ମତ ପ୍ରକାଶ ପାଇବା ସହ ନିଷ୍ପତ୍ତି ନିଆଯାଇଛି । ବହି ପ୍ରତି ଦିନକୁ ଦିନ ଆଗ୍ରହ କମୁଥିବାରୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ସାମ୍ବାଦିକ ଉତ୍ପଳ କୁମାର ସାହୁ ମତ ଦେଇଥିଲେ । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଆୟୋଜିତ ସାହିତ୍ୟ ସଭା ପୂର୍ବରୁ ଏକ କୁଇଜ କାର୍ଯ୍ୟକ୍ରମ ରଖାଯିବା ସହ ନୟାଗଡ଼ ଲେଖକଙ୍କ ପାଇଁ ଏକ ଷ୍ଟଲ ଖୋଲାଯିବା ଉପରେ କବି ବସିରନ ବିବି ମତ ଦେଇଛନ୍ତି । ଅନ୍ୟପକ୍ଷେ, ପୁସ୍ତକ ମହୋତ୍ସବ ସହ କ୍ୟାରିୟର ମେଳାକୁ ଚଳିତ ବର୍ଷ ସଂଯୋଗ କରାଯାଇଥିବାରୁ ପ୍ରତ୍ୟେକ ଦିନ ୧୧ଟାରୁ ଷ୍ଟଲ ଖୋଲା ଯିବା ପାଇଁ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି । ପୁସ୍ତକ ମେଳାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ଉତ୍ôକଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ମହୋତ୍ସବକୁ ଲଗାତର ଭାବେ ଆୟୋଜନ କରାଯିବା ସହ ଏହା ନୟାଗଡ଼ରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ହେବ ବୋଲି ଆଶା ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ବୈଦ୍ୟଭୂଷଣ ମହାପାତ୍ର, କବି ଶେଖ୍ ଅବଦୁଲ୍ ଖାଲିକ, ନିର୍ମଳ ଚନ୍ଦ୍ର ଶୂରଦେଓ, ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଅରୁଣ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ମୁଖ୍ୟମାନେ ସାମିଲ ହୋଇଥିଲେ ।

Related posts