ଆଗକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେନି ସାମ୍ବାଦିକ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାଟିର୍ (ବିଜେପି)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରି ଅସମ୍ମାନ କରିବା ଘଟଣାକୁ ଆଜି ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି। ଗତକାଲି ଦଶପଲ୍ଲା ପଂଚାୟତ ସମତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶଙ୍କର ଭବନରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତିଙ୍କ ଭୃଗୁ ବକ୍ସି ପାତ୍ରଙ୍କ ଜିଲ୍ଲା ଏବଂ ରାଜ୍ୟର ବହୁ କର୍ମୀ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହାକି ସାମ୍ବାଦିକ ମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କିଛି ସମୟ ବୈଠକ ଚାଲିଥିବା ବେଳେ ହଠାତ୍ ବିଜେପିର ଜିଲ୍ଲା ସଭାପତି ଲାଲା ମନୋଜ ରାୟ ସାମ୍ବାଦିକ ମାନେ ଫଟୋ ଉଠାଇ ସାରିଲେଣି, ବୈଠକରୁ ଚାଲିଯିବା ପାଇଁ କହିଥିଲେ। ସାମ୍ବାଦିକ ମାନେ ବୈଠକରୁ ଉଠି ଆସିବା ସହ ଦେଇଥିବା ଫୋଲଡର୍ ଏବଂ ଜଳଖିଆ ଆଦିକୁ ଫେରାଇ ଦେଇଥିଲେ। ଏପରିକି ସାମ୍ବାଦିକ ମାନଙ୍କୁ ବୁଝାଇବାକୁ ଆସିଥିବା ଜଣେ କର୍ମିଙ୍କୁ ଜିଲ୍ଲା ସଭାପତି ଶ୍ରୀ ରାୟ ଏକ ଚାପୁଡା ମାରିଥିଲେ। ପରବତ୍ତିର୍ ସମୟରେ ଗଣମାଧ୍ୟମ ସମ୍ମୁଖରେ ସଂପୃକ୍ତ କର୍ମୀ ଘଟଣାକୁ ଚୁଲାଇ କିଛି ନକହିବା ପାଇଁ କହି ଚାଲି ଯାଇଥିଲେ। ତେବେ ଏହି ବୈଠକରେ ସାମ୍ବାଦିକଙ୍କୁ ଡାକିନେଇ ଅସମ୍ମାନ କରିବା ଘଟଣାକୁ ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଆଜି ପ୍ରେସ କ୍ଲବର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ପ୍ରେସ କ୍ଲବ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ଏଭଳି ଆଚରଣକୁ ସାମ୍ବାଦିକଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା। ଏନେଇ ସାମ୍ବାଦିକ ସଂଘ ପକ୍ଷରୁ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି। ଆଗକୁ ଦଳ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସାମ୍ବାଦିକ ମାନେ ଯୋଗ ଦେବେନାହିଁ ବୋଲି ନିଷ୍ପତି ହୋଇଛି। ଏହି ବୈଠକରେ ପ୍ରେସକ୍ଲବର ସମ୍ପାଦକ ପ୍ରଫୁଲ୍ଲ କୁମାର ଦାଶଙ୍କ ସମେତ ଉପସଭାପତି ପ୍ରକାଶ କୁମାର ପାଣି, କୋଷାଧ୍ୟକ୍ଷ ଗଙ୍ଗାଧର ରଣା, ପ୍ରଶାନ୍ତ କୁମାର ସାହୁ, ପ୍ରଫୁଲ୍ଲ କୁମାର ପଣ୍ତା ଏବଂ ମନୋରଂଜନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
