ଓଡ଼ଗାଁରେ ହେବ ବିଶାଳ ଶିକ୍ଷକ ରାଲି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆସନ୍ତା ୧୯ ତାରିଖ ଶନିବାର ଦିନ ଅପରାହ୍ନ ୧ଟା ସମୟରେ ଓଡ଼ଗାଁବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରିବେ ନୂତନ ପେନସନଭୁକ୍ତ ଶହଶହ ପ୍ରାଥମିକ ଶିକ୍ଷକ।ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ରାଜ୍ୟବ୍ୟାପି ପ୍ରତ୍ୟେକ ବ୍ଲକ୍ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଗତ ୧୬ ତାରିଖରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରେ ଓଡ଼ଗାଁ ବ୍ଲକ୍ ପାଇଁ ଆନ୍ଦୋଳନ ଡାକରା ଦିଆଯିବ ବୋଲି ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ ଏବଂ ସମ୍ପାଦକ ସୁକାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମଠାରେ ଏକ ସଭା ଆୟୋଜନ କରାଯିବା ପରେ ବିଶାଳ ଶୋଭାଯାତ୍ରାରେ ବାହାରି ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ।୨୦୦୧ ବ୍ୟାଚରୁ ଅଦ୍ୟାବଧି ବିଭିନ୍ନ ବ୍ୟାଚର ଶିକ୍ଷକମାନେ ରେଗୁଲାର ହୋଇଥିଲେ ମଧ୍ୟ ବିଗତ ଛଅବର୍ଷର କାର୍ଯ୍ୟକାଳକୁ ଚାକିରୀକାଳ ମଧ୍ୟରେ ଗଣନା ହୋଇ ନ ଥିବାରୁ ଏହାକୁ ଯଥାବିଧି ଚାକିରୀ କାଳରେ ଅନ୍ତର୍ଭୁକ୍ତ କରିବା,ଛଅବର୍ଷ କାର୍ଯ୍ୟକାଳର ଇନକ୍ରିମେଣ୍ଟ ପ୍ରଦାନ କରିବା ତଥା ପୁରୁଣା ପେନସନ ଯୋଜନା ଲାଗୁ କରିବା ଭଳି କେତେକ ଦାବିକୁ ନେଇ ଆସନ୍ତା ୨୭ ତାରିଖରେ ରାଜ୍ୟବ୍ୟାପି ଏକ ବିରାଟ ଶିକ୍ଷକ ଆନ୍ଦୋଳନ ରାଜଧାନୀ ଭୁବନେଶ୍ବରଠାରେ ହେବ ବୋଲି ସୂଚନା ମିଳିଛି।

Related posts