ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗ କ୍ରମାଗତ ଅବହେଳା ଏବଂ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ପ୍ରତୀକ ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ସାଧାରଣ ଜନତା ଏବଂ ଯାତ୍ରୀମାନେ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ରୁ ପୁରୀକୁ ଦୈନିକ ଦୁଇଟି ଟ୍ରେନ ଯିବା ଆସିବା କରୁଥିବା ବେଳେ କୋଭିଡ କଟକଣା ଯୋଗୁଁ ଦୁଇଟିଯାକ ଟ୍ରେନ ବନ୍ଦ ରହିଥିଲା । କୋଭିଡ କଟକଣା ହଟିବା ପରେ ଏବେ ମାତ୍ର ଗୋଟିଏ ଟ୍ରେନ ନୂଆଗାଁରୁ ପୁରୀ ମଧ୍ୟରେ ଗୋଟିଏ ଥର ଯା’ଆସ କରୁଛି । ତେବେ ଏହି ଟ୍ରେନରେ ମାତ୍ର ୫ଟି ବଗି ଲାଗିଥିବା ବେଳେ ଅତ୍ୟଧିକ ଯାତ୍ରୀଙ୍କ ଭିଡ଼ ଯୋଗୁଁ ଲୋକମାନେ ବିନା ସିଟରେ ଛିଡ଼ା ହୋଇ ଏବଂ ଠେଲାପେଲା ହୋଇ ଯାଉଛନ୍ତି । ସେହିପରି ପୂର୍ବରୁ ନୟାଗଡ଼ ଟାଉନରୁ ଖଡ଼ଗପୁରକୁ ପ୍ରତ୍ୟେକ ଦିନ ଏକ ଫାଷ୍ଟ ପାସେଞ୍ଜର ଟ୍ରେନ ଯିବା ଆସିବା କରୁଥିବା ବେଳେ ତାକୁ ବିନା କାରଣରେ ବନ୍ଦ କରି ଦିଆଯାଇଛି । ଫଳରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲାବାସୀ ରାଜ୍ୟ ବାହରକୁ ଯିବାପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୋର୍ଦ୍ଧା ରୋଡ଼ରୁ ନୟାଗଡ଼ ଟାଉନ ଏପରିକି ନୂଆଗାଁ ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନର ବିଦ୍ୟୁତକରଣ କାର୍ଯ୍ୟ ସମାପ୍ତ ହୋଇ ଗତ ଦେଢ଼ବର୍ଷ ହେବ ବିଦ୍ୟୁତ ଇଞ୍ଜିନରେ ରେଳ ଚାଲୁଥିବା ବେଳେ ବିଭାଗ ଜିଲ୍ଲାକୁ ଟ୍ରେନ ସଂଖ୍ୟା କମାଇ ଚାଲିଛି । ଦିନକୁ ଦିନ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ କରିବାର ଆବଶ୍ୟକ ରହିଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ରୋଡ଼ରେ ଦିନସାରା ପଡ଼ି ରହୁଥିବା ଖୋର୍ଦ୍ଧା ରୋଡ଼ କେନ୍ଦୁଝର ଟ୍ରେନକୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ତଥା ନୟାଗଡ଼ ଜିଳ୍ଲାକୁ ଅଧିକ ଟ୍ରେନ ଚଳାଚଳ ଏବଂ ରାଜ୍ୟ ବାହାର ବିଶାଖାପାଟଣା, କଲିକତା ଆଦି ସ୍ଥାନକୁ ଟ୍ରେନ ଚଳାଚଳ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭାଗ ନିକଟରେ ଦାବି କରାଯାଇଛି । ଏ ନେଇ ଏକ ଦାବିପତ୍ର ପୂର୍ବତଟ ରେଳ ବିଭାଗର ମହା ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଯଦି ରେଳ ବିଭାଗ ଏହିସବୁ ଦାବି ପ୍ରତି ଅବହେଳା କରାଯାଏ ତେବେ ଆଗାମୀ ଦିନରେ ଜିଲ୍ଲାର ଜନସାଧାରଣଙ୍କୁ ସାମିଲ କରି ଜୋରଦାର ଆନ୍ଦୋଳନ କରାଯିବାକୁ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ଧର୍ମଘଟରେ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ, ଆବାହକ ଲକ୍ଷ୍ମୀଧର ସାହୁ, ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ପ୍ରଦୀପ ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ପ୍ରଫୁଲ ନାୟକ, ଅଜିତ ମିଶ୍ର, ପ୍ରଦୀପ ଡାକୁଆ, ସୁରେନ୍ଦ୍ର ପ୍ରଧାନ, ଗୋକୁଳ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଧାରଣା ସ୍ଥଳରେ ପହଞ୍ଚି ଆଗାମୀ ଦିନରେ ଏହି ସବୁ ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ରେଳ ବିଭାଗର ବୈମାତୃକ ମନୋଭାବକୁ ନେଇ ପ୍ରତୀକ ଧାରଣା
