ଛାତ୍ରୀଙ୍କୁ ଅସଦାଚରଣ କରି ଚାକିରୀରୁ ନିଲମ୍ବନ ହେଲେ ହିନ୍ଦୀ ଶିକ୍ଷକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ନେଇ ଖବର ପ୍ରକାଶ ହେବା ପରେ ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ଜଣାପଡିଛି।

ସୂଚନା ମୁତାବକ, ନୂଆଗାଁ ବ୍ଲକ ଗୁମୀ ଗ୍ରାମପଂଚାୟତ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଶତାଧିକ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ରବି ନାରାୟଣ ଷଡ଼ଙ୍ଗୀ ବିଦ୍ୟାଳୟରେ ମଦ୍ୟପାନ କରି ଛାତ୍ରଛାତ୍ରୀମାନଙ୍କୁ ଅମାନୁଷିକ ଅତ୍ୟାଚାର କରିବା ସହ ଖରାପ ଭାଷାରେ ଗାଳି ଗୁଳଜ କରୁଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଜାତିଗତ ଆକ୍ଷେପ କରୁଥିଲେ। ସାରଙ୍କ ଗୋଡ ହାତ ଘଷିବା ସହ ଅଇଁଠା ପ୍ଲେଟ ଧୋଇବା ପାଇଁ କହୁଥିଲେ। ବିଶେଷ କରି ଛାତ୍ରୀମାନଙ୍କ ଉପରେ ଖରାପ ନଜର ରଖିବା ସହ ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ ନେଇ ଗତକାଲି ଛାତ୍ରଛାତ୍ରୀମାନେ ନୂଆଗାଁ–ବାହାଡାଝୋଲା ରାସ୍ତା ଉପରେ ୩ଘଣ୍ଟା ଧରି ଧାରଣାରେ ବସିଥିଲେ। ଉକ୍ତ ହିନ୍ଦୀ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ ନକରିବା ଯାଏଁ ସେମାନେ ସେଠାରୁ ନଉଠିବା ପାଇଁ ଜିଦ୍‌ ଧରିଥିଲେ। ଏହି ଘଟଣାକୁ ନେଇ ଛାତ୍ରୀମାନେ ରାସ୍ତାରେ ଧାରଣାରେ ବସି କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରି ବସିଥିବା ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ, ନୂଆଗାଁ ବ୍ଲକ ବିଡିଓ ପ୍ରମୋଦ କୁମାର ନାୟକ, ବ୍ଲକ ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନାରା ପ୍ରମୁଖ ଘଟଣାସ୍ଥଳରେ ପହଂଚି ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଆଜି ଜିଲ୍ଲାପାଳ ଏହି ଘଟଣାକୁ ଅନୁଧ୍ୟାନ କରିବା ସହ ପ୍ରଧାନ ଶିକ୍ଷକ ଷଡଙ୍ଗୀଙ୍କୁ ଚାକିରୀରୁ ନିଲମ୍ବନ କରି ତାଙ୍କ ସ୍ଥାନରେ ଶରତ କୁମାର ସାହୁଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବ ପ୍ରଦାନ କରିଛନ୍ତି।

Related posts