ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକର ଦୁଇ ପଞ୍ଚାୟତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜିଲ୍ଲା ପରିଷଦ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୧୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି ଏବଂ ଭାପୁର ପଞ୍ଚାୟତ ସମିତିର ବହୁ ଜନପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ।

କରବର ଓ ଫତେଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପ୍ରପୀଡିତ ପରିବାରଙ୍କୁ ଭେଟିବା ସହ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ଭାପୁର ପଞ୍ଚାୟତ ସମିତି ପରିସର ସଭାଗୃହରେ ବନ୍ୟା କ୍ଷୟକ୍ଷତିରେ ଜନସାଧାରଣଙ୍କ ଚାଷ ଜମି, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଏବଂ ବାସଗୃହ ଜନିତ ସମସ୍ୟା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
