ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ ।
ଶରଣକୁଳ ମନ୍ଦିର ପ୍ରଶାସନ ତରଫରୁ କାଉଡିଆମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିଲା।ଏକ ଅସ୍ଥାୟୀ ତମ୍ବୁ ଘର କରାଯାଇଥିବାରୁ ହଜାର ହାଜର ଭକ୍ତ ସେଇଠାରେ ବିଶ୍ରାମ ନେଇଥିଲେ । ଡାକ୍ତରଖାନା ତରଫରୁ ଅସୁସ୍ଥ ମାନକୁ ଔଷଧ ବଣ୍ଟନ ଓ ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପ୍ରତିବର୍ଷ ପରି କଟକ ସିଡ଼ିଏ ଠାରେ ଅବସ୍ଥିତ ଲଡୁବାବା ବୋଲବମ ସଙ୍ଘ ଦ୍ୱାରା ଟିଫିନ ଓ ଖାଦ୍ୟପେୟର ବ୍ୟବସ୍ଥା ସହିତ ଭଜନ ସମାରୋହର ଆୟୋଜନ କରାଯାଇଥିଲା ।କିଛି ସ୍ବେଛାସେବୀ ଭକ୍ତମାନଙ୍କ ଦ୍ୱାରା କ୍ଷୀର,ଦହିସର୍ବତ ପ୍ରଭୁତି ବଣ୍ଟନ କରାଯାଇଥିଲା। କାଉଡିଆମାନେ ବ୍ୟାରିକେଟ ଭିତରେ ଧାଡିରେ ଯାଇ ଜଳ ଢାଳିଥିଲେ ।ଏଇ ବର୍ଷ ପ୍ରତି କାଉଡ଼ିଆଙ୍କ ଠାରୁ ୫୦ ଟଙ୍କା ଲେଖାଁଏ ଜଳଲାଗି ଏବଂ ପୂଜା ପାଇଁ ଆଦାୟ କରାଯାଇଛି । ଏଇବର୍ଷ ଆସୁଥିବା କାଉଡ଼ିଆଙ୍କ ଭିତରେ ପୁରୁଷଙ୍କ ଅପେକ୍ଷା ଅଧିକାଂଶ ମହିଳା ପାଣି ଭାର ନେଇ ଆସୁଥିବା ଦେଖିବାକୁ ମିଳିଥିଲା। ଆଗାମୀ ସୋମବାର ଆହୁରି ଅଧିକ କାଉଡ଼ିଆଙ୍କ ସମାଗମ ହେବ ବୋଲି ସେବାସୀ ଓ ଶ୍ରଦ୍ଧାଳୁଙ୍କ ଠାରୁ ସୂଚନା ମିଳିଛି।