ରଣପୁର/ଚାନ୍ଦପୁର,(ନୟାଗଡ଼ ଦର୍ପଣ): ବୁଲେଟ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ। ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କ ଘରେ ଜଣେ ଦୁର୍ବୁତ୍ତ ପସି ବୁଲେଟ ମଟରସାଇକେଲକୁ ଚୋରି କରି ନେଇଥିଲେ। ବୁଲେଟ ଚୋରି ହୋଇଥିବା ଜାଣିପାରି ଚାନ୍ଦପୁର ପୋଲିସକୁ କେଦାର ସଙ୍ଗେସଙ୍ଗେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ନାଇଟ ପାଟ୍ରୋଲିଂ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ଛଅ ଘଣ୍ଟା ମଧ୍ୟରେ ଚୋରକୁ ଧରିବାରେ ଚାନ୍ଦପୁର ପୋଲିସ ସଫଳ ହୋଇଥିଲା। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଦୁର୍ଯ୍ୟୋଧନ ଗଜି। ଅଭିଯୁକ୍ତଙ୍କ ଠାରୁ ଚୋରି ବୁଲେଟ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିବା ସହ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୮/୨୧ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇଥିବା ନୟାଗଡ଼ ଏସ୍ପି ଟୁଇଟ କରି ସୂଚନା ଦେଇଛନ୍ତି।
ଚୋରୀର ୬ ଘଣ୍ଟା ମଧ୍ୟରେ ବୁଲେଟ ଚୋରକୁ ବାନ୍ଧିଲା ଚାନ୍ଦପୁର ପୋଲିସ
