ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ ହାଉସ ନିକଟ ଭାରତ ବିକାଶ ପରିଷଦ କାର୍ଯ୍ଯାଳୟ ତଥା ପରିଷଦର ଶ୍ରୀକମଳାଦେବୀନ୍ଯାସ ପରିସରରେ ଶାଖା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଶାଖା ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ସର୍ବପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥ, ଭାରତ ମାତା,ସ୍ବାମୀ ବିବେକାନନ୍ଦ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିଛବିରେ ପୁଷ୍ପ ଧୂପ ଓ ଦୀପ ଅର୍ପଣ କରାଯାଇ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା।ଶାଖା ସଦସ୍ଯା ସୌଦାମିନୀ ସ୍ବାଇଁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲା ବେଳେ ଶାଖା ସଚିବ ଅନାଦି ଚରଣ ମହାନ୍ତି ଶାଖାର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେଶ କୁମାର ପ୍ରଧାନ,ମୁଖ୍ଯବକ୍ତା ଭାବେ ବିଶିଷ୍ଟ ବୈଦିକ ପ୍ରବକ୍ତା ବିରେନ୍ଦ୍ର କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ ମଞ୍ଚାସୀନ ହୋଇ ପରିଷଦର ଲକ୍ଷ୍ଯ ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହିତ ରାଷ୍ଟ୍ରୀୟ ଏକତା ଦିବସ ବିଷୟରେ ଅତିଥି ମାନେ ବକ୍ତବ୍ଯ ରଖିଥିଲେ।ଏହି ଉତ୍ସବ ପାଳନ ଅବସରରେ ୧୭ ଜଣ ନୂତନ ସଦସ୍ଯ ଭାବେ ସଦସ୍ୟତା ଗ୍ରହଣ କରିଥିବାରୁ ମୁଖ୍ଯ ବକ୍ତା ମହୋଦୟ ସେମାନଙ୍କୁ ଶପଥ ପାଠ କରାଇଥିଲେ।
![](https://nayagarhdarpan.com/wp-content/uploads/2021/10/IMG-20211031-WA0050.jpg)
ଶାଖା ଦ୍ବାରା କରାଯାଇଥିବା ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଫନି ସହାୟତା, ଘରପୋଡି ସହାୟତା, କମ୍ବଳ ବଣ୍ଟନ, ସରକାରଙ୍କ ଟୀକାକରଣ କାର୍ଯ୍ୟକ୍ରମରେ ସହାୟତା, ପୋଷ୍ଯଗ୍ରାମରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସଚିବ ବିବରଣୀ ପାଠ କରିଥିବା ବେଳେ ଉତ୍କର୍ଷ ସମ୍ମାନ, ଗୁରୁବନ୍ଦନ, ଏକଲାଗୀତ, ଭାରତକୁଜାଣ, ରାମାୟଣ ପ୍ରଶ୍ନତ୍ତୋରୀ ଆଦି ଅନେକ କାର୍ଯ୍ୟକ୍ରମର ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ଶାଖାର ସେବା ସଚିବ ଦୁର୍ଯ୍ୟୋଧନ ସାହୁ ଧନ୍ଯବାଦ ଅର୍ପଣ କରିଥିଲାବେଳେ ଏହି କାର୍ଯ୍ୟକ୍ରମରେ ଶାଖା ଅର୍ଥ ସଚିବ ପ୍ରଫୁଲ କୁମାର ନାୟକ, ସମାଜସେବୀ ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସଚିବ ପ୍ରଦୀପ କୁମାର ସାହୁ, କାମାକ୍ଷା ପ୍ରସାଦ ଦାଶ ପ୍ରମୁଖ ସହଯୋଗ କରିଥିଲେ।