ନୟାଗଡ଼,(୨୩/୦୯): ନୟାଗଡ଼ ପୈାରପରିଷଦ ପକ୍ଷରୁ ସହରବାସୀଙ୍କ ଗୃହକୁ ଏକ ସଂସ୍ଥା ଦ୍ଵାରା ଆକଳନ କରି ନୂତନ ବର୍ଦ୍ଧିତ ହୋଲିଂ ଟ୍ୟାକ୍ସର ତାଲିକା ପୈାରପାଳିକା ପ୍ରକାଶ କରିଛି । ଯାହାକୁ ନେଇ ସହରବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯଦି ବର୍ଦ୍ଧିତ ଟିକସ ଦରକୁ ନେଇ ଲୋକଙ୍କ କୌଣସି ଅଭିଯୋଗ ରହିଥାଏ ତେବେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ନୂତନ ତାଲିକା ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ଆକଳନ ସମୟରେ ଘର ମୁଲ୍ୟ, ଆୟତନ, ମହଲା ଇତ୍ୟାଦିକୁ ପ୍ରଧାନ୍ୟ ଦିଆଯାଇଛି । ଏଥିସହିତ ଘର ଭଡ଼ା ଲାଗିଥିଲେ, ତାହା ଅନୁସାରେ ଅଧିକ ହୋଲିଂ ଟ୍ୟାକ୍ସ ଆକଳନ ହୋଇଛି । ଫଳରେ ଯେଉଁ ଲୋକମାନେ ବିଗତ ଦିନରେ ୫ଶହରୁ ୬ଶହ ଟଙ୍କା ଟ୍ୟାକ୍ସ ଦେଉଥିଲେ, ଏବେ ୩ରୁ ୪ହଜାର ଦେବାକୁ ପଡ଼ିବ ଜାଣିବା ପରେ ଲୋକଙ୍କ ଭାଲେଣି ପଡ଼ିଛି । ଘର ଭଡ଼ା ଦେଇଥିବା ବ୍ୟକ୍ତିଙ୍କୁ ୧୦ ହଜାରରୁ ଉଦ୍ଧ୍ୱର୍ ଟ୍ୟାକ୍ସ ଗଣିବାକୁ ପଡ଼ିବ ବୋଲି ତାଲିକାରୁ ଜଣାପଡ଼ିଛି । କିନ୍ତୁ ବର୍ଦ୍ଧିତ ଶୁଳ୍କକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜନବିରୋଧି ଟିକସକୁ କୈାଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଜନସାଧାରଣଙ୍କ ହିତ ବିରୋଧି ହେଲେ ତାହା ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି । ପୈାରାଞ୍ଚଳର ଜନସାଧାରଣଙ୍କ ସହ ନିଜେ ଏ ସମ୍ପର୍କରେ ଆଲୋଚନା କରିବେ ଏବଂ ଜିଲ୍ଲା ପ୍ରଶାସନ ଓ ପୈାର ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଟିକସ ଲାଗୁ ହୋଇ ନାହିଁ, ଏହା ମାତ୍ର ଏକ ଆକଳନ ବୋଲି ସେ କହିଛନ୍ତି । ଏଥିପାଇଁ ଲୋକମାନେ ଭୟଭୀତ ହେବାର କୈାଣସି ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଆକଳନ ହୋଇଥିବା ବର୍ଦ୍ଧିତ ଟିକସକୁ ମନ୍ତ୍ରୀଙ୍କ ବିରୋଧ
