ପୂର୍ବ ପୁରୁଷଙ୍କ ସ୍ମୃତି ରକ୍ଷା ନିମନ୍ତେ ପଦ୍ମଶ୍ରୀ ରାଧାମୋହନଙ୍କ ନାମରେ ଆମ୍ର ବାଟିକା

ଓଡ଼ଗାଁ,(୧୧/୦୯): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆମ୍ରବାଟୀକାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ଃ. ସାହୁ ପ୍ରଥମେ ଆମ୍ର ବୃକ୍ଷ ରୋପଣ କରିଥିଲେ। ସ୍ବର୍ଗତ ପ୍ରଫେସର ରାଧାମୋହନ ପଣ୍ଡା ଜୈବିକ କୃଷି ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ପାଇଥିଲେ। ପ୍ରଫେସର ରାଧାମୋହନ ପଣ୍ଡା ପ୍ରଥମେ ଅଧ୍ୟାପନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। କ୍ରମେ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା ଅଧିକାର କମିଶନର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। USA ସରକାର ତାଙ୍କୁ “ଗ୍ଲୋବାଲ ରୋଲ ଅଫ ଅନର” ପ୍ରଦାନ କରିଥିଲେ। ଓଡ଼ଗାଁ ବ୍ଲକର ଉପକଣ୍ଠ ଗ୍ରାମ ରଂଗଣିପାଟଣାରେ ଜନ୍ମଗ୍ରହଣ କରିଥିବା ଏହି ଅମର ପ୍ରତିଭୂଙ୍କୁ ନାମରେ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟସ୍ଥ ଏହି ଆମ୍ରକାନନକୁ ନାମିତ କରାଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି। ଏହି ଅବସରରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ପଣ୍ଡାଙ୍କ ସୁକନ୍ୟା ପଦ୍ମଶ୍ରୀ ସାବରମତି, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ସହକାରୀ ବନସଂରକ୍ଷକ ଶ୍ୱେତାଲିନା ସାହୁ, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ତହସିଲଦାର ବିଜୟତା ସାମନ୍ତସିଂହାର , ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ଶିକ୍ଷକ ରଂଜନ ଦାଶଙ୍କ ସମେତ ପରିବେଶ ବିତ୍, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Related posts