ନୟାଗଡ,(୨୭/୦୮):- ଚଳିତ ଖରିଫ୍ ଋତୁରେ ନିଅଂଟିଆ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲାରେ ଉପୁଜିଥିବା ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମଧ୍ୟମ ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ଓଡ଼ିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଜ୍, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ବିଭିନ୍ନ ସାର କମ୍ପାନୀର ଅଧିକୃତ ବିକ୍ରେତା ଓ କମ୍ପାନୀର ଅଧିକାରୀ ଗଣ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କୃଷି ଅଧିକାରୀ ଏବଂ ସମବାୟ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ସେମାନଙ୍କର ବିଭାଗୀୟ ତଥ୍ୟ ସହ ସ୍ୱଳ୍ପ ବୃଷ୍ଟି ଜନିତ ଉପୁଜିଥିବା ସମସ୍ୟାର ନିରାକରଣ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମ୍ମାନନୀୟା ଜିଲ୍ଲାପାଳ ସମୀକ୍ଷା ସମୟରେ ଏହାର ମୁକାବିଲା ପାଇଁ କାଳୀନ ଯୋଜନା ପ୍ରସ୍ତୁତ କରିବା ସହିତ ପଞ୍ଚାୟତସ୍ତରରେ ଅଣୁଯୋଜନା ପ୍ରସ୍ତୁତ କରିବା ପାଇଁ କୃଷିବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ । ତାସହ ବ୍ଲକୱାରୀ ଦୈନନ୍ଦିନ ବୃଷ୍ଟିପାତ ଅନୁସାରେ ଯୋଜନା କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ କ୍ଷତିଗ୍ରସ୍ତ ବ୍ଲକରେ ଆପଦକାଳୀନ ଯୋଜନା ମୁତାବକ ବନ୍ଦ ପଡ଼ିଥିବା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ଉଠାଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ସମୀକ୍ଷା ବୈଠକ
