ନୟାଗଡ଼(୧୧/୦୮):- “ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ” ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ତ୍ରିନାଥ ଛକସ୍ଥିତ ସତ୍ୟମ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମ୍ପ୍ୟୁଟର ଶିଖିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ବେଆଇନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ନପଢ଼ିବା ପାଇଁ ସୂଚନା ଦିଆଯାଇଛି । ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା କମ୍ପ୍ୟୁଟର ସଙ୍ଘର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଶିଶିର ରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ସହସମ୍ପାଦକ ନିର୍ମଳ କୁମାର ହୋତା ପ୍ରମ୍ମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ ବେଆଇନ କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲିଛି। ଉକ୍ତ ଅନୁଷ୍ଠାନମାନଙ୍କ ଲାଗି ଅନେକ ଛାତ୍ରଛାତ୍ରୀ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଛନ୍ତି । ରାଜ୍ୟରେ ଏବେ ଅନେକ ଏନଜିଓ ଏବଂ ଅଣଅନୁମୋଦିତ ଶିକ୍ଷାନୁଷ୍ଠାନ ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ରେ ପଞ୍ଜିକୃତ କରି ଡିସିଏ ଓ ପିଜିଡିସିଏ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି । ଏଆଇସିଟି, ଏନସିଭିଟି କିମ୍ବା କୌଣସି ବିଶ୍ୱ ବିଦ୍ୟାଳୟଠାରୁ ଅନୁମୋଦନ ନଆଣି ମଧ୍ୟ ସାର୍ଟିିଫିକେଟ ପ୍ରଦାନ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି କୁହାଯାଇଛି । ଏବେ ଏହି ସଂସ୍ଥାମାନଙ୍କ ପ୍ରତି ନଜର ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସଂସ୍ଥା ଏନଜିଓ କିମ୍ବା ସୋସାଇଟ ଆଇନ-୧୮୬୦ରେ ନିଜକୁ ପଞ୍ଜିକୃତ କରାଇ ଡିସିଏ, ପିଜିଡିସିଏ ଭଳି ପ୍ରମାଣ ପତ୍ର ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଚିଠି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ “ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ” ପକ୍ଷରୁ ସ୍ୱାଗତ କରାଯାଇଛି ।
ଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ ହୋଇଯାଅନ୍ତୁ ସାଵଧନ
