ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୋସିଆଲ ମିଡିଆରେ ପ୍ରଚରା କର
ନୟାଗଡ଼,(୦୮/୦୮):- ନୟାଗଡ଼ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଦଳିୟ କାର୍ଯ୍ୟାଳୟଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ଏହି କର୍ମକର୍ତ୍ତା ସମ୍ମିଳନୀରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା ସଂଗଠନକୁ ମଜବୁତ କରିବାର ମନ୍ତ୍ର ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଶାସନ କାଳରେ ଓଡ଼ିଶା ଜନସାଧାରଣଙ୍କ ପାଇଁ କରିଥିବା ସଂଗ୍ରାମୀ ଏବଂ ପାଇଥିବା ଲୋକପ୍ରିୟତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି । ସେହିଭଳି ଭାବେ ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ସାହାରା ନେବାକୁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ଓ ପ୍ରସାର କରାଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି। ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ସଂଗଠନ ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ପାରିଲେ ଦଳ ମଜବୁତ ହେବ ବୋଲି କହିଛନ୍ତି।

ଏହି ବୈଠକରେ ଛାତ୍ର, ଯୁବ, ମହିଳା, କୃଷି ଏବଂ ଅନ୍ୟାନ୍ୟ ସଂଗଠନର ମୁଖ୍ୟମାନେ ଯୋଗଦେଇ ସେମାନଙ୍କର ମତ ବ୍ୟକ୍ତ କରିଛନ୍ତି । ଲୋକଙ୍କ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସଂଗଠନ ଗୁଡ଼ିକ ବିଗତ ଦିନରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ ବିଜୁ ଜନତା ଦଳ ଉତ୍ତମ ଶାସନ ସୃଷ୍ଟି କରି ପାରିଥିବା ବୈଠକରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, କୃଷକ ନେତା ଜଗନ୍ନାଥ ପଣ୍ଡା, ମହିଳା ଜନତା ଦଳ ସଭାପତି ବିରଜା ଲକ୍ଷ୍ମୀ ସାହୁ, ପ୍ରଭାସିନୀ ନନ୍ଦ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ଚୈାଧୁରୀ, ଲୋକନାଥ ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁରଙ୍କ ସମେତ ସମସ୍ତ ପଂଚାୟତ ସଭାପତି, ସରପଂଚ ଏବଂ ସମିତି ସଭ୍ୟ ଯୋଗ ଦେଇଥିଲେ ।
