ନୟାଗଡ଼ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ

ଦଳୀୟ ଶୃଙ୍ଖଳା ଓ ସାଙ୍ଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ; ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପିସିସି ଉପସଭାପତି ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ମାନସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ସାଙ୍ଗଠନିକ ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ କରିବା, ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, କର୍ମୀମାନଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ କରିବା ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ପ୍ରଭାରୀ ମାନସ ଚୌଧୁରୀ ଦଳୀୟ ଶୃଙ୍ଖଳା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଦଳ ମଧ୍ୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ସମସ୍ତ ନେତା ଓ କର୍ମୀଙ୍କୁ ଦଳୀୟ ନୀତି ଓ ଶୃଙ୍ଖଳା ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କଠାରୁ ସାଙ୍ଗଠନିକ ସ୍ଥିତି ଓ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଧରି ମତାମତ ଶୁଣିଥିଲେ।
ଆସନ୍ତା ନଭେମ୍ବର ୨୫ ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱରଠାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଓ’ ରାଲିରେ ନୟାଗଡ଼ ଜିଲ୍ଲାରୁ ପ୍ରାୟ ଏକ ହଜାର ଦଳୀୟ କର୍ମୀ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ପ୍ରଦେଶ କଂଗ୍ରେସର ସମ୍ବିଧାନ ବଞ୍ଚାଓ ରାଲିରେ ମଧ୍ୟ ନୟାଗଡ଼ ଜିଲ୍ଲାରୁ ପ୍ରାୟ ଏକ ହଜାର କର୍ମୀ ଯୋଗଦେଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ପିସିସି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ପିସିସି ସମ୍ପାଦକ ବିଭୂପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ନକୁଳ ନାୟକ, ଲକ୍ଷ୍ମୀଧର ତ୍ରିପାଠୀ, ହୁସେନ ଖାଁ, ବିନୋଦିନୀ ମହାନ୍ତି, ଅମଜାଦ ଖାଁ, ଧ୍ରୁବଚରଣ ପରିଡ଼ା, ସୁକାନ୍ତ ଶତପଥୀ, ପ୍ରତିମା ଜେନା, ସସ୍ମିତା ଦାଶ, ଆଲୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଡିସିସି କିଷାନ ସେଲ୍ ସଭାପତି ଲଡୁକେଶ୍ୱର ଷଡ଼ଙ୍ଗୀ, ପୀତବାସ ଖୁଣ୍ଟିଆ, ରାଜ୍ୟ ସେବାଦଳ ସାଧାରଣ ସମ୍ପାଦକ ମନୋଜ ସାହୁ, ରାଜ୍ୟ ଓବିସି ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ନୟାଗଡ଼ କଲେଜ ଛାତ୍ରସଂସଦ ଉପସଭାନେତ୍ରୀ ସୁନନ୍ଦା ଲେଙ୍କାଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳ କଂଗ୍ରେସ ସଭାପତି ଯୋଗଦେଇଥିଲେ।
ସେହିପରି ବ୍ଲକ୍ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ହାସୀମ ଖାଁ, ଅଶୋକ ନାୟକ, ଶତ୍ରୁଘ୍ନ ପାଇକରାୟ, ବୁଲୁ ପରିଡ଼ା, ବାଙ୍କବିହାରୀ ଧଳ, ନୟାଗଡ଼ ପୌରାଞ୍ଚଳ କଂଗ୍ରେସ ସଭାପତି ରାଜକିଶୋର ଜେନା, ଓଡ଼ଗାଁ ଏନ୍‌ଏସି ସଭାପତି ବିଭୂତି ରାଉତ, ରଣପୁର ସଭାପତି ପ୍ରଭାତ ଦଳେଇ ଓ ଖଣ୍ଡପଡ଼ା ସଭାପତି ସନ୍ତୋଷ ସାହୁଙ୍କ ସମେତ ସମସ୍ତ ଜୋନ୍ କଂଗ୍ରେସ ସଭାପତି ଏବଂ ଯୁବ ଓ ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି, ଦଳୀୟ ଶୃଙ୍ଖଳା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

Related posts