‘ସଙ୍ଗୀତଧାରା’ର ଅଭିନବ ପ୍ରୟାସ, ବିଜେତାଙ୍କୁ ମିଳିବ ‘ସଙ୍ଗୀତ କଲ୍ଲୋଳ’ ଉପାଧି
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ର ପୂର୍ବ ସଫଳତା ଓ ଜନାଦୃତି ପରେ ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାରେ ଲୁକ୍କାୟିତ ଭାବେ ରହିଥିବା ସଙ୍ଗୀତ ପ୍ରତିଭା ଓ ପ୍ରତିଭାସମ୍ପନ୍ନ କଣ୍ଠଶିଳ୍ପୀମାନଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଉପଯୁକ୍ତ ମଞ୍ଚ ଓ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଉପଲକ୍ଷେ ଆଜି ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ୧୪ରୁ ୨୪ ବର୍ଷ ବୟସର ଉଭୟ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସଙ୍ଗୀତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଆଗ୍ରହୀ ପ୍ରତିଯୋଗୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗୀମାନେ ଶାଳୀନତା ଓ ଭକ୍ତିଭାବପୂର୍ଣ୍ଣ ଭଜନ, ଜଣାଣ ଏବଂ ଧାର୍ମିକ ଲଘୁ ସଙ୍ଗୀତ ପରିବେଷଣ କରିବେ।
ପ୍ରତିଯୋଗିତାଟି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ବିନା ବାଦ୍ୟଯନ୍ତ୍ରରେ ନିଜ କଣ୍ଠସ୍ୱରରେ ସଙ୍ଗୀତ ପରିବେଷଣ କରିବେ। ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ରର ସହଯୋଗରେ ନିଜର ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରିବେ। ଜିଲ୍ଲାର ସମସ୍ତ ୮ଟି ବ୍ଲକ ସମେତ ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ନିର୍ଦ୍ଧାରିତ ସ୍ଥାନରେ ପର୍ଯ୍ୟାୟକ୍ରମେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ।
ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଥିବା ବିଜେତାଙ୍କୁ ନଗଦ ୧୧ ହଜାର ଟଙ୍କା ପୁରସ୍କାର ସହିତ ସମ୍ମାନଜନକ ‘ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ କରାଯିବ। ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ଯଥାକ୍ରମେ ୫ ହଜାର ଓ ୩ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯିବ। ସୁର ଗନ୍ଧର୍ବ ନବକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ‘ସଙ୍ଗୀତଧାରା’ର ସଭାପତି ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ମହାପାତ୍ର, ଲକ୍ଷ୍ମୀଧର ସାହୁ, ଜୟଶ୍ରୀ ଦେବୀ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୀପ୍ତ ଡାକୁଆ, ଗୋପୀନାଥ ସେଠୀ, ଅଶୋକ ମଲ୍ଲ ଓ ମାଧବ ଡାକୁଆ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଉପସ୍ଥିତ ସଦସ୍ୟମାନେ ପ୍ରତିଯୋଗିତାର ସଫଳ ଆୟୋଜନ ଓ ଜିଲ୍ଲାର ସଙ୍ଗୀତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ।
