ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ହରିଶ ପ୍ରଧାନ (ଗୀତିକଳ୍ପ)ଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ନୟାଗଡ଼, (ନୟାଗଡ଼ ଦର୍ପଣ): ସାମାଜିକ ସେବା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ନିରନ୍ତର ଅବଦାନ ପାଇଁ ହରିଶ ଚନ୍ଦ୍ର ପ୍ରଧାନଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି। ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ଗ୍ଲୋବାଲ୍ ଏକ୍ସଲେନ୍ସ ଅନର୍ସ-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କୁ ‘ଡକ୍ଟର ଅଫ୍ ସୋସିଆଲ୍ ୱାର୍କ (D.SW.)’ ଉପାଧିରେ ସମ୍ମାନିତ କରାଯିବା ନେଇ ପ୍ରକାଶିତ ସମ୍ମାନପତ୍ରରେ ଉଲ୍ଲେଖ ରହିଛି।
ଆସନ୍ତା ନଭେମ୍ବର ୧୩ ତାରିଖରେ ପୁରୀଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେବାକୁ ଥିବା ସୂଚନା ମିଳିଛି।
ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ଓ ୧୫ବର୍ଷ ଧରି ‘ନୟାଗଡ଼ ଦର୍ପଣ’ ଓ ‘ଓଡ଼ିଶା ଦର୍ପଣ’ ମାଧ୍ୟମରେ ଆଞ୍ଚଳିକ ସାହିତ୍ୟ, କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ ତୃଣମୂଳ ସ୍ତରରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅବଦାନକୁ ଏହି ସମ୍ମାନର ମୁଖ୍ୟ ଆଧାର ଭାବେ ଦର୍ଶାଯାଇଛି।
ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିରନ୍ତର ସକ୍ରିୟ ରହି ଓ ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ସ୍ୱର୍ଗକୁ ବାଟ, ମଦ ମଣିଷ, ଭୂତ ସହ ରାତିଏ ଓ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଶାର ବୌଦ୍ଧିକ ଓ ସାମାଜିକ ବିକାଶରେ ନିଜସ୍ୱ ଅବଦାନ ରଖିଥିବା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଏହି ସ୍ୱୀକୃତି ତାଙ୍କ ପାଇଁ ଏକ ଗୌରବର ବିଷୟ। ଏହି ଖବର ପ୍ରକାଶ ପରେ ତାଙ୍କର ଶୁଭେଚ୍ଛୁ, ସହକର୍ମୀ ଓ ଶୁଭାକାଂକ୍ଷୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Related posts