ନୟାଗଡ଼ ପୌର ପରିଷଦ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇଙ୍କ ଅଧ୍ଯକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ବସଷ୍ଟାଣ୍ଡସ୍ଥିତ ଗୋଲେଇ ଛକ, ତ୍ରିନାଥ ଛକସ୍ଥିତ ଆମ ପାଇଁ ବଡ଼, ଆମ ନୟାଗଡ଼ ସେଲଫି ପଏଣ୍ଟ ଚତୁଃପାର୍ଶ୍ବରେ ହୋର୍ଡିଂ, ବ୍ୟାନର ଓ ବିଜ୍ଞାପନ ନ ଲଗାଇବାକୁ ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ସ୍ଥାନରେ ହୋର୍ଡିଂ ଲଗାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଏନଫୋର୍ସମେଣ୍ଟ ଟିମକୁ ଦାୟିତ୍ବ ଦିଆଯାଇଛି।

ସହରରେ ଥ‌ିବା ସମସ୍ତ କଲ୍ୟାଣ ମଣ୍ଡପର ଆନୁଷଙ୍ଗିକ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣାଙ୍ଗ କରିବା, ସମସ୍ତ ଶୌଚାଳୟଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା, ସାଗର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପରିମଳ ଦାୟିତ୍ବରେ ଥ‌ିବା ଘରୋଇ ସଂସ୍ଥା କାର୍ଯ୍ୟକୁ ନେଇ ବୈଠକରେ ଉପସ୍ଥିତ ସମସ୍ତ କାଉନସିଲର ଅସନ୍ତୋଷ ପ୍ରକାଶ କରିଥିଲେ। ହୋଙ୍ଗି ଟ୍ୟାକ୍ସ ଅଧିକ ଆଦାୟ ହେବା, ନବୀନ ମଣ୍ଡପରେ ଏସି ଏବଂ ପିଏଚ୍ ବ୍ୟବସ୍ଥା କରାଇବାକୁ ନିଷ୍ପତ୍ତି ହୋଇଛି। ରାସ୍ତାରେ ବାଲି, ଗୋଡ଼ି ରଖିଲେ ଜରିମାନା ଆଦାୟ କରିବାକୁ ଚୂଡ଼ାନ୍ତ ହୋଇଛି। ଭିଭିଭୂମି ବିକାଶ ପାଇଁ ଟେଣ୍ଡର ଭିତ୍ତିରେ ପ୍ରତ୍ୟେକ ୱାର୍ଡକୁ ୫ଲକ୍ଷ ଲେଖାଏଁ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସହିତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Related posts