ଜିଲ୍ଲା ପାଠାଗାର ‘ଅଧ୍ୟୟନ’ର ସମସ୍ୟା ଶୁଣି ତୁରନ୍ତ ପହଞ୍ଚିଲେ ପୌର ନିର୍ବାହୀ ଅଧିକାରୀ: ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପାଠାଗାର “ଅଧ୍ୟୟନ”ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଛି। ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା କ୍ଷଣି ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହାସହ ଛାତ୍ରଛାତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା କରି ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ତଥା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କାର୍ଯ୍ୟକ୍ଷମ ଥିବା “ଅଧ୍ୟୟନ” ପାଠାଗାରରେ ଗତ କିଛି ଦିନ ଧରି ୱାଇ-ଫାଇ (Wi-Fi) ସଂଯୋଗ ବ୍ୟାହତ ହେବା ସହ ସିସିଟିଭି (CCTV) ନିରୀକ୍ଷଣ ବ୍ୟବସ୍ଥା ଆଦି କେତେକ ଆନୁଷଙ୍ଗିକ ଅସୁବିଧା ଲାଗିରହିଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆଚାର୍ଯ୍ୟ ସ୍ୱୟଂ ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ମତାମତ ନେଇଥିଲେ ଏବଂ ଅଧ୍ୟୟନ ପରିବେଶକୁ ସୁରକ୍ଷିତ ତଥା ଡିଜିଟାଲ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏକ ୨ ମହଲା ଘର ନିର୍ମାଣ କରାଯିବ। ଯେଉଁଠି ଛାତ୍ରଛାତ୍ରୀ ବାହାରୁ ନିଜ ପୁସ୍ତକ ଅଧ୍ୟୟନ କରିବାର ସୁଯୋଗ ପାଇବେ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି।
ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ମୁନିସିପାଲିଟି ପ୍ରଶାସନର ପ୍ରଥମ ପ୍ରାଥମିକତା। ଏକ ସୁସ୍ଥ ଓ ଅନୁକୂଳ ପରିବେଶରେ ପିଲାମାନେ କିପରି ମନୋନିବେଶ କରି ପାଠପଢ଼ିବେ ଏବଂ ଆଗାମୀ ଦିନରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲାର ନାମ ରଖିବେ, ସେଥିପାଇଁ ପୌର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ। ଏହି ସମୟରେ ଲାଇବ୍ରେରୀଆନ ସସ୍ମିତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାସନିକ ସ୍ତରରେ ଏଭଳି ତ୍ୱରିତ ପଦକ୍ଷେପ ପାଇଁ ପାଠାଗାରର ଛାତ୍ରଛାତ୍ରୀମାନେ ଧନ୍ୟବାଦ ଜଣାଇଥିବା ବେଳେ ସମସ୍ୟାର ତ୍ୱରିତ ସମାଧାନ ଆଶା କରିଛନ୍ତି।

Related posts