୧୧ ଦଫା ପ୍ରସ୍ତାବ ରଖିଲା ‘ଜୟ ନୟାଗଡ଼ ଫାଉଣ୍ଡେସନ’; ୮ ତାରିଖରେ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ ଆଲୋଚନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସମାଧାନ ଓ ରୋଗୀସେବାକୁ ଅଧିକ ସୁଦୃଢ଼ କରିବା ଦାବିରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ୧୧ ଦଫା ପ୍ରସ୍ତାବ ଦାବିପତ୍ର ଆକାରରେ ପ୍ରଦାନ କରିଥିଲେ।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ହୋଇଥିବାବେଳେ ଡାକ୍ତରଙ୍କ ଅଭାବ, ଆବଶ୍ୟକ ପରୀକ୍ଷା ଉପକରଣର ଅଭାବ ଓ ସୁରକ୍ଷାଜନିତ ସମସ୍ୟା ଯୋଗୁଁ ରୋଗୀସେବା ପ୍ରଭାବିତ ହେଉଥିବା ଫାଉଣ୍ଡେସନ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସିଡିଏମ୍ଓ, ଡିଏଚ୍ଏଚ୍ ସୁପରିଣ୍ଟେଣ୍ଡେଣ୍ଟ ଓ କାର୍ଯ୍ୟରତ ଡାକ୍ତରମାନଙ୍କୁ ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ, ଖାଲିଥିବା ସ୍ପେସାଲିଷ୍ଟ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜରୁରୀ ପତ୍ର ପ୍ରେରଣ, ଆବଶ୍ୟକ ମେଡିକାଲ ଟିମ୍ ଓ ଉପକରଣ ସହ ଆଇସିୟୁକୁ ସୁଦୃଢ଼ କରିବା ଏବଂ ଏମ୍ଆରଆଇ, ଅଲ୍ଟ୍ରାସାଉଣ୍ଡ ଭଳି ଆବଶ୍ୟକ ଡାଏଗ୍ନୋଷ୍ଟିକ୍ ସେବା ଉପଲବ୍ଧ କରାଇବା ପାଇଁ ଦାବି କରାଯାଇଛି।
ସେହିପରି ନେଫ୍ରୋଲୋଜି/ଡାଏଲିସିସ୍ ସେବାର କ୍ଷମତା ବୃଦ୍ଧି, ପିପିପି ମୋଡ୍ରେ କାର୍ଡିଓଲୋଜି ସେବା ଆରମ୍ଭ, ଟିବି ଓ ଚେଷ୍ଟ ମେଡିସିନ୍, ଅର୍ଥୋପେଡିକ୍ ଓ ଇଏନ୍ଟି ବିଶେଷଜ୍ଞ ସେବାକୁ ସୁଦୃଢ଼ କରିବା, ବ୍ଲଡ୍ କମ୍ପୋନେଣ୍ଟ ସେପାରେସନ୍ ୟୁନିଟ୍ ସ୍ଥାପନ, ଅର୍ଥୋପେଡିକ୍ ଓ ଇଏନ୍ଟି ଅପରେସନ ଥିଏଟରକୁ ଆବଶ୍ୟକ ଉପକରଣ ଓ ମେଡିକାଲ ଟିମ୍ ସହ ସକ୍ରିୟ କରିବା, ଏଣ୍ଡୋସ୍କୋପି ସମେତ ଆବଶ୍ୟକ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ଉପଲବ୍ଧ କରାଇବା ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ସ୍ଥାପନ ପାଇଁ ଦାବି କରାଯାଇଛି।
ଏହି ଦାବିଗୁଡ଼ିକ ଉପରେ ଆସନ୍ତା ୮ ଅକ୍ଟୋବରରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ର ପ୍ରତିନିଧିମଣ୍ଡଳ ସହ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଲୋଚନା କରିବେ। ଏଥିପାଇଁ ଜିଲ୍ଲାପାଳ ସମୟ ପ୍ରଦାନ କରିଥିବା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଉପଦେଷ୍ଟା ଶ୍ରୀଧର ପ୍ରଧାନ, ଏମ୍. ଅନୁରାଗ ସ୍ୱାଇଁ, ଜିତେନ୍ଦ୍ର କୁମାର ସାହୁ, ମଲ୍ଲିକ ମହମ୍ମଦ ମୁବାସିର, ଟ୍ରକ୍ ମାଲିକ ସଂଘ ସଦସ୍ୟ ରଜାକଦିନ ଖାଁ, ଉମାକାନ୍ତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ଜିଲ୍ଲାର ସାମ୍ବାଦିକମାନେ ଉପସ୍ଥିତ ଥିଲେ।
