ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁଙ୍କର ନବରଙ୍ଗପୁରକୁ ବଦଳି ହୋଇଥିବାବେଳେ ନୟାଗଡ଼ରେ ଦୁଇଜଣ ନୂତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଯୋଗଦେଇଛନ୍ତି। ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚିତା ସାହୁ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓମାନେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ନୂତନ ଡିଏଲଓମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ବରିଷ୍ଠ ସଭ୍ୟ ରଘୁନାଥ ମହାରଣା, ସଞ୍ଜୟ ଦାସ, ଅଶୋକ କୁମାର ନାୟକ ଏବଂ ବସନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କୁ ଉପଯୁକ୍ତ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଆଗାମୀ ଦିନରେ ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଡିଏଲଓ ରଶ୍ମିତା କୁମାରୀ ପାତ୍ର କହିଥିଲେ।
ନୟାଗଡ଼ରେ ନୂଆ ଡିଏଲଓଙ୍କ ଦାୟିତ୍ୱ ଗ୍ରହଣ, ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
