ପୌରପାଳିକାର ତ୍ୱରିତ ପଦକ୍ଷେପ: ଜଳବନ୍ଦୀରେ ଥିବା ୪ କଲୋନୀକୁ ସ୍ୱାଭାବିକ କଲେ ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ସହରର ବିଭିନ୍ନ ଅଞ୍ଚଳ ବେହାଲ ହୋଇପଡ଼ିଥିଲା। ସହରର ୪ଟି କଲୋନୀରେ ପ୍ରାୟ ୪ ଫୁଟ ଉଚ୍ଚତାରେ ବର୍ଷାଜଳ ଜମି ରହିବାରୁ କଲୋନୀବାସୀ ଗତକାଲି ଦିନତମାମ ଘରୁ ବାହାରି ପାରିନଥିଲେ। ରାସ୍ତାରେ ଅତ୍ୟଧିକ ପାଣି ଜମି ରହିବାରୁ ସାଧାରଣ ଲୋକଙ୍କ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ନୟାଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଖୋଲାଯାଇଥିବା ସମ୍ଭାବ୍ୟ ବାତ୍ୟା କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ ଯୋଗେ ସୂଚନା ମିଳିବା ପରେ ପୌରପାଳିକା ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସମସ୍ୟାଗ୍ରସ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଏନଫୋର୍ସମେଣ୍ଟ ଟିମ୍‌ ଓ ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ନେଇ ତୁରନ୍ତ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ନିର୍ବାହୀ ଅଧିକାରୀ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ। ପ୍ରାୟ ୬ ଘଣ୍ଟାର ନିରନ୍ତର ପରିଶ୍ରମ ପରେ ଜଳ ନିଷ୍କାସନ କରାଯାଇ ଅଞ୍ଚଳରେ ଯାତାୟାତ ସ୍ୱାଭାବିକ କରାଯାଇଥିଲା।

ୱାର୍ଡ ନଂ ୩ର ଲୋକନାଥନଗର, ୱାର୍ଡ ନଂ ୪, ୱାର୍ଡ ନଂ ୭ ଏବଂ ୱାର୍ଡ ନଂ ୮ର ରାଧାନାଥ କଲୋନୀ ବର୍ଷାଜଳ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିଲା।

ଏହି ଜଳ ନିଷ୍କାସନ କାର୍ଯ୍ୟରେ ଏନଫୋର୍ସମେଣ୍ଟ ଅଧିକାରୀ ନାରାୟଣ ନାୟକ, ପୌର ଯନ୍ତ୍ରୀ ରଞ୍ଜନ ମହାରଣା, କାଉନସିଲର କିଷାନ୍ କୁମାର ଦାସ, ସ୍ୱୟଂପ୍ରଭା ମିଶ୍ର, ମଞ୍ଜୁ ଗୁମାନ ସିଂ, ଲକ୍ଷ୍ମୀଧର ମହାପାତ୍ର ଏବଂ ସମାଜସେବୀ ରୁଦ୍ର ପ୍ରସନ୍ନ ରଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts