ପ୍ରଥମ ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଡିସେମ୍ବର ତୃତୀୟ ସପ୍ତାହରେ ଆୟୋଜନ ହେବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ; ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ୍ ସହ ୮ ଦିନ ଧରି ଚାଲିବ ଖେଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ନବଗଠିତ ନୟାଗଡ଼ ୟୁନାଇଟେଡ୍ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଆଗାମୀ ଡିସେମ୍ବର ମାସର ତୃତୀୟ ସପ୍ତାହରେ ପ୍ରଥମ ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖେଳପଡ଼ିଆ ମଞ୍ଚରେ ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ୍ ଦଳ ଓ ଖେଳାଳିଙ୍କୁ ନେଇ ଏକ ଉଚ୍ଚକୋଟୀର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ନୟାଗଡ଼ର ସୁନାମଧନ୍ୟ ଫୁଟବଲ୍ ଖେଳାଳିଙ୍କୁ ନେଇ ଏକ ଦଳ ଗଠନ କରାଯାଇ ଟୁର୍ଣ୍ଣାମେଣ୍ଟରେ ପ୍ରମୁଖ ଅଂଶଗ୍ରହଣକାରୀ ଦଳ ଭାବେ ଖେଳାଇବାକୁ ନିଷ୍ପତ୍ତି ହୋଇଛି।

ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଢଙ୍ଗରେ ଓ ସଫଳତାର ସହ ପରିଚାଳନା କରିବା ପାଇଁ ଏକ ଟୁର୍ଣ୍ଣାମେଣ୍ଟ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ହାସିମ୍ ଖାଁ, ସମ୍ପାଦକ ଭାବେ କମଳ ଚରଣ ସାହୁ ଏବଂ ସାଂଗଠନିକ ସମ୍ପାଦକ ଭାବେ  ଶିବରଞ୍ଜନ ସାହୁଙ୍କୁ ମନୋନୀତ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କମିଟି ସମ୍ପର୍କରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ବୈଠକରେ ଟୁର୍ଣ୍ଣାମେଣ୍ଟ ଅବସରରେ ଏକ ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜନ କରିବା ସହିତ ମୋଟ ୮ଦିନ ଧରି ଖେଳ ପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଲକ୍ଷ୍ମୀଧର ତ୍ରିପାଠୀ, ଅମଜାଦ ଖାଁ, ପୀତବାସ ଖୁଣ୍ଟିଆ, ସେକ୍ ମସୁଜୁଦ ହୁସେନ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଓମ୍ ପ୍ରକାଶ ପ୍ରଧାନ, ଅଶୋକ କୁମାର ମଲ୍ଲିକ, ମଲ୍ଲିକ୍ ସାହିଦ, ସହାବାଜ ଖାଁ, ସଲମାନ୍ ଖାଁ, ପ୍ରତୀକ ମହାପାତ୍ର, ବିଶ୍ୱଜିତ୍ ବେହେରା, ହୂରସିଦ ମଲ୍ଲିକ୍ ଓ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସର୍ବସମ୍ମତିକ୍ରମେ ବୈଠକର ଆବାହକ ରଣଜିତ୍ ଦାଶଙ୍କୁ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପୃଷ୍ଠପୋଷକ ଭାବେ ଗ୍ରହଣ କରାଯାଇଥିଲା। ଶେଷରେ ଉପସଭାପତି ଶ୍ରୀ ହାସିମ୍ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts