ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଶିକ୍ଷଣ ଫଳାଫଳ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।

ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେ ବୈଠକର ବିଭିନ୍ନ ବିଷୟବସ୍ତୁ ସହିତ ୟୁଡାଇସ୍‌, ଉଲ୍ଲାସ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦିର ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଗ୍ରହଣ କରି ସମୟାନୁସାରେ କାର୍ଯ୍ୟକାରୀ କରିବାକୁ ସେ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।


ବୈଠକର ଅନ୍ୟତମ ଆକର୍ଷଣ ଥିଲା ଜୁଲାଇ ଓ ଅଗଷ୍ଟ ମାସର ଶିକ୍ଷଣ ସୋପାନ ପ୍ରଦର୍ଶନର ମୂଲ୍ୟାଙ୍କନ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନର ଗୁଣାତ୍ମକ ମାନ ଓ ନିୟମିତ ଲିପିବଦ୍ଧକରଣକୁ ଆଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଚୟନ କରାଯାଇଥିଲା | ଏଥିରେ ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଉର୍ମିଳା ଦେଇ ପ୍ରଥମ ସ୍ଥାନ, ହଂସରା ପ୍ରାଥମିକ ବିଦ୍ୟାଳୟର ପୂର୍ଣଚନ୍ଦ୍ର ପତି ଓ ସରୋଜିନୀ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଏବଂ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ଆଶମଣୀ ସାମନ୍ତରାୟ ତୃତୀୟ ସ୍ଥାନ ହାସଲ କରିଥିଲେ | ସମସ୍ତ କୃତୀ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ମାନ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଓ ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା।

ବୈଠକ ଅବସରରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଗ୍ୟାଲେରୀ ୱାକ୍‌ ପ୍ରଦର୍ଶନକୁ ବ୍ଲକ ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷଣ କରିଥିଲେ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନ ସଠିକ୍‌ ଭାବରେ ଲିପିବଦ୍ଧ ହେଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସେ ତଦାରଖ କରିଥିଲେ।

ଏହି ଅବସରରେ ଶିକ୍ଷକ ଭ୍ରମରବର ତାଡ଼ଙ୍କ ଦ୍ୱାରା ପ୍ରଦର୍ଶିତ ମଡେଲ୍‌ ଶିକ୍ଷାଦାନ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ତାଙ୍କର ଶିକ୍ଷାଦାନ ପ୍ରଣାଳୀକୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶଂସା କରିଥିଲେ।


ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ସୂଚନାକୁ ଠିକ୍‌ ସମୟରେ ଓ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ନରସିଂହପୁର କ୍ଲଷ୍ଟରରେ ବିଭିନ୍ନ ଶିକ୍ଷାମୂଳକ ଓ ସରକାରୀ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଧାରାକୁ ଆହୁରି ମଜବୁତ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକର ବିଷୟବସ୍ତୁ ଆଲୋଚନାରେ ସି.ଆର୍‌.ଜି. ସୁକାନ୍ତ କୁମାର ବେହେରା ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ଆଶାମଣୀ ସାମନ୍ତରାୟ ଏବଂ ଶିକ୍ଷକ ଅଜୟ କୁମାର ସାହୁ, ଭାଗବତ ଜେନା ଓ ପୂର୍ଣ୍ଣଚନ୍ଦ୍ର ପତି ସହଯୋଗ କରିଥିଲେ।

ଗୁଣାତ୍ମକ ଶିକ୍ଷା, ନିୟମିତ ଶିକ୍ଷଣ ସମୀକ୍ଷା ଓ ଶିକ୍ଷକଙ୍କ ଉତ୍କୃଷ୍ଟ ପ୍ରୟାସକୁ ସମ୍ମାନ — ନରସିଂହପୁର କ୍ଲଷ୍ଟରର ଏହି ବୈଠକ ଶିକ୍ଷାର ମାନୋନ୍ନତି ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

Related posts