ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ  ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି। ଉକ୍ତ ଉଦଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ। ପ୍ରଥମେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଜେଲ ଅଧିକ୍ଷକ ବାବୁଲି ବାରିକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ଆଗାମୀ ଦିନରେ କାରାଗାରରେ ତାଲିମ ନେବା ପରେ କାରାଗାର  ହିତାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ କିଭଳି ବିକ୍ରି ହୋଇପାରିବ ସେଥ‌ିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ ତରଫରୁ ହିତାଧିକାରୀମାନଙ୍କୁ ପ୍ରଶିକ୍ଷଣ ଭିଭିକ ତାଲିମ ଉପକରଣ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଶେଷରେ ସମସ୍ତ ଅତିଥି କାରାଗାର ପରିସରରେ ପ୍ରସ୍ତୁତ ହେବାକୁ ଥ‌ିବା ତାଲିମ ସାମଗ୍ରୀ ଗୁଡିକର ନମୁନା ଦେଖିଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠୀ ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ କାରାଗାର ଅଧୀକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ତାଲିମର ସଫଳ ରୂପାୟନ କାମନା କରିଥିଲେ।

Related posts