ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଅଗଷ୍ଟ ମାସ ୧୫ ତାରିଖ ଦିନ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି ।ବିଦ୍ୟାଳୟ ପରିସରରେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ତେବେ ନିୟମ ଅନୁଯାୟୀ ଉତ୍ସବ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ପତାକା କୁ ସମ୍ମାନର ସହ ଅବତରଣ କରାଯିବାର ନିୟମ ରହିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ପତାକା ଟି ଉତ୍ତୋଳିତ ଅବସ୍ଥାରେ ରହିଥିବା ଲୋକଲୋଚନକୁ ଆସିଥିଲା । ଏପରିକି ସ୍ଥାନୀୟ ଯୁବକମାନେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି, ଯାହା ଜିପିଏସ୍ ଫଟୋ ରୁ ସ୍ପଷ୍ଟ ଭାବରେ ଅଭିଯୋଗର ସତ୍ୟତା ବାରି ହୋଇପଡୁଛି ।
ସୂଚନା ଅନୁଯାୟୀ ସ୍ବାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥିଲା। ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। କିନ୍ତୁ ଅଭିଯୋଗ ଅନୁସାରେ ଦିନ ଶେଷ ହେବା ପରେ ମଧ୍ୟ ବିଦ୍ୟାଳୟର ଉତ୍ତୋଳନ ସ୍ତମ୍ବରେ ଜାତୀୟ ପତାକା ଲାଗି ରହିଥିଲା।ଜାତୀୟ ପତାକା ଦେଶର ସାର୍ବଭୌମତ୍ୱ, ଏକତା, ଅଖଣ୍ଡତା ଓ ସ୍ବାଧୀନତା ସଂଗ୍ରାମ ର ଗୌରବମୟ ସ୍ମୃତିର ପ୍ରତୀକ ଅଟେ। ତେଣୁ ଜାତୀୟ ପତାକାର ଉତ୍ତୋଳନ, ଅବତରଣ, ସଂରକ୍ଷଣ ଓ ପ୍ରଦର୍ଶନ ସମ୍ପର୍କରେ ନିର୍ଦ୍ଧାରିତ ନିୟମ ଓ ମର୍ଯ୍ୟାଦାକୁ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ । ବିଶେଷ କରି ଏକ ଶିକ୍ଷା ଅନୁଷ୍ଠାନରେ ଏଭଳି ବିଷୟ ପ୍ରତି ଅଧିକ ସଚେତନତା ଓ ଦାୟିତ୍ୱବୋଧ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି ।ଅଭିଯୋଗକାରୀଙ୍କ କହିବା ଅନୁସାରେ ଜଣେ ପ୍ରଧାନଶିକ୍ଷକଙ୍କ ଭଳି ଦାୟିତ୍ବପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତିଙ୍କ ନିକଟରୁ ଜାତୀୟ ପତାକା ପ୍ରତି ଏଭଳି ଅସମ୍ମାନ ଓ ଅବହେଳା ଆଶା କରାଯାଏ ନାହିଁ । ବିଦ୍ଯାଳୟରେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ଜାତୀୟତାବୋଧ ଓ ଜାତୀୟ ପ୍ରତୀକ ଗୁଡିକର ସମ୍ମାନ ସମ୍ପର୍କରେ ଶିକ୍ଷା ଦିଆଯାଉଥିବା ବେଳେ ବିଦ୍ୟାଳୟ ପରିସରରେ ନିଜେ ଏଭଳି ଅବହେଳା ଘଟିବା ଦୁଃଖଦ ଓ ଚିନ୍ତାଜନକ ବୋଲି ସେମାନେ କହିଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବାରେ କୌଣସି ପ୍ରକାରର ଅବହେଳାକୁ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହାସହ ଘଟଣାର ପ୍ରକୃତ ସତ୍ୟତା ଆଧାରରେ ତଦନ୍ତ କରି ଦାୟିତ୍ୱରେ ଅବହେଳା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଭିଯୋଗରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ବିଭାଗୀୟ ନିୟମ ଅନୁଯାୟୀ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ସ୍ଥାନୀୟ ଲୋକଙ୍କ ମତରେ, ଜାତୀୟ ପତାକା କେବଳ ଏକ କପଡ଼ା ନୁହେଁ, ଏହା ଭାରତର ସ୍ୱାଧୀନତା, ବୀର ସହିଦଙ୍କ ତ୍ୟାଗ ଏବଂ ଦେଶର ଗୌରବର ପ୍ରତୀକ । ଏହାର ମର୍ଯ୍ୟାଦା ରକ୍ଷା କରିବାରେ ପ୍ରଶାସନ, ଶିକ୍ଷା ବିଭାଗ ଓ ସମସ୍ତ ନାଗରିକ ଙ୍କ ସମାନ ଦାୟିତ୍ବ ରହିଛି । ତେଣୁ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।
