ରଥ ଉପରେ ପୂଜା ପାଇଲା ଐତିହାସିକ ନାଟକ ‘ଆହେ ନୀଳଶୈଳ’

ଅକ୍ଟୋବରରେ ନୟାଗଡ଼ରେ ହେବ ଭବ୍ୟ ମଞ୍ଚସ୍ଥ, ଜିଲ୍ଲାର ପ୍ରତିଭାବାନ କଳାକାରଙ୍କୁ ମିଳିବ ସୁଯୋଗ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ଘୋଷଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ଐତିହାସିକ ନାଟକ ‘ଆହେ ନୀଳଶୈଳ’ର ପାଣ୍ଡୁଲିପିକୁ ବିଧିବଦ୍ଧ ଭାବେ ପୂଜା କରାଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ କୃପାଲାଭ କାମନାରେ ସମ୍ପନ୍ନ ଏହି ପୂଜା ପରେ ଆସନ୍ତା ଅକ୍ଟୋବର ମାସରେ ନୟାଗଡ଼ରେ ନାଟକଟି ଭବ୍ୟ ଭାବେ ମଞ୍ଚସ୍ଥ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’କୁ ଆଧାର କରି ଏହି ନାଟକର କାହାଣୀ ରଚନା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଦମ୍ପତି ପ୍ରତିମା ହୋତା ଓ ଶଙ୍କର ତ୍ରିପାଠୀ ଏହାକୁ ନାଟ୍ୟରୂପ ଦେଇଛନ୍ତି।

ନାଟକରେ ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନକାଳର ଏକ ଐତିହାସିକ ଅଧ୍ୟାୟକୁ ଜୀବନ୍ତ ରୂପ ଦିଆଯାଇଛି। କଟକର ନବାବ ତକୀ ଖାଁଙ୍କ ଆକ୍ରମଣ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତମାନେ ଚିଲିକାର ଏକ ଦ୍ୱୀପରେ ସୁରକ୍ଷିତ ଭାବେ ଲୁଚାଇ ରଖିବା, ପରେ ଗଜପତିଙ୍କ ଦ୍ୱାରା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ବକ୍ସି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତ, ରାଣୀ ଲଳିତା ପାଟଦେଇଙ୍କ ଆତ୍ମବଳିଦାନ ଓ ସରଦେଇ–ଜଗୁନିଙ୍କ ଚରିତ୍ର ଭଳି ଅନେକ ଐତିହାସିକ ଘଟଣାକୁ ନାଟ୍ୟମୟ ଢଙ୍ଗରେ ଉପସ୍ଥାପନ କରାଯିବ।

ନାଟକରେ ଅଭିନୟ ପାଇଁ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ବଛାବଛା କଳାକାରଙ୍କୁ ଚୟନ କରାଯାଇଛି। ରାକେଶ ମହାନ୍ତି, ତନୁଜ ଆଚାର୍ଯ୍ୟ, ଉତ୍ପଳ କୁମାର ସାହୁ, ଯଜ୍ଞ ନାରାୟଣ ପାତ୍ର, ଉମାଶଙ୍କର ମିଶ୍ର, ନିଶିକାନ୍ତ ମହାପାତ୍ର, ପ୍ରସନ୍ନ ସ୍ୱାଇଁ, ନୀଳକଣ୍ଠ ଦାସ ଓ ଗତିକୃଷ୍ଣ ପ୍ରଧାନ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ। ଆହୁରି କିଛି ଯୁବ କଳାକାରଙ୍କୁ ଖୁବ୍‌ଶୀଘ୍ର ଚୟନ କରାଯିବ। ନାଟକର ତିନୋଟି ନାରୀ ଚରିତ୍ର ପାଇଁ ମଧ୍ୟ ଜିଲ୍ଲାର ପ୍ରତିଭାବାନ ଯୁବତୀମାନଙ୍କୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ଯୁବ ସାମ୍ବାଦିକ ତଥା ମଞ୍ଚ ଅଭିନେତା **ଉତ୍ପଳ କୁମାର ସାହୁ** ନାଟକର ବ୍ୟବସ୍ଥାପନା ଦାୟିତ୍ୱରେ ରହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ନାଟକ କେବଳ ଏକ ମଞ୍ଚ ପରିବେଷଣ ନୁହେଁ, ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ, ଭକ୍ତି ଓ ଓଡ଼ିଆ ଅସ୍ମିତାକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବାର ଏକ ସାଂସ୍କୃତିକ ପ୍ରୟାସ।

ନାଟକ ପାଣ୍ଡୁଲିପି ପୂଜା ଅବସରରେ ବରିଷ୍ଠ ନାଟ୍ୟକାର ଡ଼. ବିଜୟ ଚୌଧୁରୀ, ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ, ନାଟ୍ୟ ସଂଗଠକ ମିଷ୍ଟର କାଳିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ‘ଶ୍ରେୟ ତରଙ୍ଗ’ ଓ ନୟାଗଡ଼ ଜିଲ୍ଲାର ମିଳିତ କଳାକାରମାନଙ୍କ ସହଯୋଗରେ ଏହି ଐତିହାସିକ ନାଟକ ମଞ୍ଚସ୍ଥ ହେବ। ମହାପ୍ରଭୁଙ୍କ ମହିମା, ଓଡ଼ିଆ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଅପୂର୍ବ ସମନ୍ୱୟ ଭାବେ ‘ଆହେ ନୀଳଶୈଳ’ ନୟାଗଡ଼ର ନାଟ୍ୟପ୍ରେମୀଙ୍କ ପାଇଁ ଏକ ସ୍ମରଣୀୟ ଉପହାର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Related posts