ରଣପୁରରେ କଲେଜ ଅଧ୍ୟକ୍ଷ ଦମ୍ପତିଙ୍କ ଉପରେ ଆକ୍ରମଣ ଓ ଲୁଟ୍ ଘଟଣାର ତୀବ୍ର ନିନ୍ଦା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟୁଥିବା ନେଇ ସିପିଆଇ(ଏମ୍) ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଜିଲ୍ଲାରେ ଧାରାବାହିକ ଭାବେ ହତ୍ୟାକାଣ୍ଡ, ନାରୀ ନିର୍ଯାତନା, ଚୋରି ଓ ରାହାଜାନୀ ବଢ଼ି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ ପୋଲିସ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର।

ପ୍ରେସ୍ ବିବୃତ୍ତିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣପୁର ବ୍ଲକର ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷ ନବକିଶୋର ସାମନ୍ତରାୟ ଓ ତାଙ୍କ ପତ୍ନୀ ନୟାଗଡ଼ ଆସୁଥିବା ବେଳେ ସାନଗଡ଼ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଦମ୍ପତି ଆହତ ହେବା ସହ ଦୁର୍ବୃତ୍ତମାନେ ଭେନିଟି ବ୍ୟାଗ୍, ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇଥିଲେ।

ରଣପୁର ଥାନାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଦିନଦ୍ୱିପ୍ରହରରେ ଏଭଳି ଘଟଣା ଘଟିବା ଅପରାଧୀମାନଙ୍କ ମନୋବଳକୁ ବଢ଼ାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ ତତ୍ପରତାର ସହ କାର୍ଯ୍ୟ କରିନଥିବା, ମୋବାଇଲ ଟ୍ରାକିଂ ଓ ସିସିଟିଭି ଯାଞ୍ଚ ଭଳି ଉପଲବ୍ଧ ବୈଷୟିକ ସୁବିଧାର ସଠିକ୍ ବ୍ୟବହାର ନକରିବା ପରୋକ୍ଷରେ ଅପରାଧୀଙ୍କୁ ସହଯୋଗ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସିପିଆଇ(ଏମ୍) ଅଭିଯୋଗ କରିଛି ଯେ, ଜିଲ୍ଲାରେ ଘଟୁଥିବା ଅନେକ ଜଘନ୍ୟ ଅପରାଧର ସଠିକ୍ ତଦନ୍ତ ଓ ନିରାକରଣ ନ ହେବା ଫଳରେ ଅପରାଧୀମାନଙ୍କ ପାଇଁ ଏକ ପ୍ରକାର ଅଭୟାରଣ୍ୟ ସୃଷ୍ଟି ହୋଇଛି। ସାମ୍ପ୍ରତିକ ରାସ୍ତା ଲୁଟ୍ ଘଟଣା ସେହି ଚିତ୍ରକୁ ଆହୁରି ସ୍ପଷ୍ଟ କରିଛି ବୋଲି ଦଳ ମତ ପ୍ରକାଶ କରିଛି। ଏହା ସହିତ ରାଜ୍ୟର “ଡବଲ୍ ଇଞ୍ଜିନ” ସରକାର ଆଇନଶୃଙ୍ଖଳା ରକ୍ଷାରେ ବିଫଳ ହୋଇଥିବା ବୋଲି ମଧ୍ୟ ସିପିଆଇ(ଏମ୍) ସମାଲୋଚନା କରିଛି।

ଲୁଟ୍‌ର ଶିକାର ହୋଇଥିବା ଅଧ୍ୟକ୍ଷ ଦମ୍ପତିଙ୍କ ଅଭିଯୋଗକୁ ଆଧାର କରି ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସିପିଆଇ(ଏମ୍)ର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଜିଲ୍ଲା ପୋଲିସ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

Related posts