ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ବିଗତ ଦୁଇ ଦିନ ଧରି ଚାଲିଥିବା ସମ୍ଭାଗ ସ୍ତରୀୟ ଆଧାର ସ୍ତର ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ରବିବାର ସମାରୋପ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ ସମ୍ଭାଗ ଅଧୀନ ୧୩୬ଟି ବିଦ୍ୟାଳୟର ୮୬ ଜଣ ଗୁରୁଜୀ ଓ ଗୁରୁମା ଅଂଶଗ୍ରହଣ କରି ଶିଶୁମାନଙ୍କର ସର୍ବାଙ୍ଗୀଣ ବିକାଶ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାଦାନର ନୂତନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।

ସମାରୋପ ଉତ୍ସବରେ ପ୍ରାନ୍ତ ମାଧ୍ୟମିକ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ, ନୟାଗଡ଼ ଜିଲ୍ଲା ସହ ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପବିତ୍ର କୁମାର ପଣ୍ଡା, ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରାନ୍ତ ଶିଶୁ ବାଟିକା ସହ ପ୍ରମୁଖ ରୀନା ରାଉତରାୟ, ସମ୍ଭାଗ ଶିଶୁ ବାଟିକା ପ୍ରମୁଖ ଭାଗ୍ୟଲତା ସାହୁ, ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି ଓ ପ୍ରଶାସକ ଭଗବାନ ସାହୁ ପ୍ରମୁଖ ଯୋଗଦେଇ ଶିଶୁ ଶିକ୍ଷାର ଗୁରୁତ୍ୱ, ଆଧୁନିକ ଶିକ୍ଷଣ ପଦ୍ଧତି ଏବଂ ସଂସ୍କାରଭିତ୍ତିକ ଶିକ୍ଷା ଉପରେ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିବା ବେଳେ ସମସ୍ତ ସେବାବ୍ରତୀଙ୍କ ସକ୍ରିୟ ସହଯୋଗରେ ଏହା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଦୁଇଦିନିଆ କାର୍ଯ୍ୟଶାଳା ଶିଶୁ ବାଟିକାରେ କାର୍ଯ୍ୟରତ ଗୁରୁଜୀ ଓ ଗୁରୁମାମାନଙ୍କ ଶିକ୍ଷାଦାନ କୌଶଳର ବିକାଶ ସହ ନବୀନ ଶିକ୍ଷଣ ପଦ୍ଧତିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
