ଜନ୍ମଦିନରେ ବୃକ୍ଷରୋପଣ କରି ସମାଜକୁ ସବୁଜ ବାର୍ତ୍ତା ଦେଲେ ନିବେଦିତା ଲେଙ୍କା

ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ଜନ୍ମଦିନକୁ କେବଳ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ନକରି ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା ଦେବାର ନିଆରା ପ୍ରୟାସ କରିଛନ୍ତି ‘ଯଶୋଦା ମା ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା। ନିଜ ଜନ୍ମଦିନ ଅବସରରେ ସେ ସାଇ ଜରାଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି।

ଏହି ଅବସରରେ ଶ୍ରୀମତୀ ଲେଙ୍କା କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ଅନ୍ୟ କୌଣସି ଖୁସିର ମୁହୂର୍ତ୍ତକୁ ଆଡମ୍ବରରେ ପାଳନ କରିବା ପରିବର୍ତ୍ତେ ଅତି କମରେ ଦୁଇଟି ବୃକ୍ଷ ରୋପଣ କରି ସେଗୁଡ଼ିକର ଯତ୍ନ ନିଅନ୍ତି, ତେବେ ସବୁଜ ପରିବେଶ ସୃଷ୍ଟି ହେବା ସହ ପୃଥିବୀରେ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ।

କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, କଲେଜ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଉପସ୍ଥିତ ସମସ୍ତେ ଏଭଳି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ଜନ୍ମଦିନକୁ ସେବା, ସବୁଜତା ଓ ସାମାଜିକ ଦାୟିତ୍ୱ ସହ ଯୋଡ଼ିବାର ଏହି ପ୍ରୟାସ ନିଶ୍ଚିତ ଭାବେ ସମାଜ ପାଇଁ ଏକ ଅନୁକରଣୀୟ ଉଦାହରଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Related posts