ଦେବୋତ୍ତର ମ୍ୟାନେଜର  କ୍ୱାର୍ଟର ଜବରଦଖଲ, ବିଜେଡି ନେତା କରୁଛନ୍ତି ଡିଲର ବେପାର : କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟର କୁ ବିଜେଡି ନେତା ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ମୁନିସିପାଲିଟି ଡିଲର ବ୍ୟବସାୟ ଚଲାଇଛନ୍ତି। ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ପୂର୍ବତନ କାଉନସିଲରଙ୍କ ପ୍ରତି ଦେବୋତ୍ତର ପ୍ରଶାସକ ଅହେତୁକ ଅନୁକମ୍ପା ଦେଖାଇ ଏହି ସରକାରୀ କ୍ୱାର୍ଟର ଟେକି ଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ। ଦେବୋତ୍ତର ମ୍ୟାନେଜର ଯଦି ତାଙ୍କ ନିଜ ବାସଭବନରେ ରହୁଛନ୍ତି ତେବେ ଏହି କ୍ୱାର୍ଟର ଷ୍ଟାଫମାନଙ୍କୁ ଦିଆନଯାଇ ବିଧାୟକଙ୍କ ଖାସ ପୂର୍ବତନ କାଉନସିଲରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବା ପାଇଁ ବେଆଇନ ଅନୁମତି କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ବର୍ଷବର୍ଷ ଧରି ଏହି କ୍ୱାର୍ଟରରେ ଡିଲର ବ୍ୟବସାୟ ଚାଲୁଥିଲେ ମଧ୍ୟ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏହି କ୍ୱାର୍ଟର କାହିଁକି ବ୍ୟବସାୟ ମୁକ୍ତ କରୁନାହାଁନ୍ତି କାହିଁକି ପ୍ରଶ୍ନ ଉଠାଇବା ସ୍ୱାଭାବିକ ବୋଲି କଂଗ୍ରେସ ନେତା କହିଛନ୍ତି। ଜିଲ୍ଲାରେ ଆଉ କୌଣସି ଡିଲରଙ୍କୁ ବ୍ୟବସାୟ କରିବା ପାଇଁ ଏହିଭଳି ସରକାରୀ କ୍ୱାର୍ଟର ଦିଆଯାଇଛି ବୋଲି ଉପଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଡିସିସି ସଭାପତି। ବିଧାୟକଙ୍କ ଏହି ଖାସ କାଉନସିଲରଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଯାଇଛି। ଏଥିପାଇଁ ରାଜ୍ୟ ଦେବୋତ୍ତର ଆଯୁକ୍ତ ଅନୁମତି ଦେଇଛନ୍ତି କି ନାହିଁ ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ତୁରନ୍ତ ଏହି କ୍ୱାର୍ଟର ଉଛେଦ କରାଯାଇ ଦେବୋତ୍ତର ଅଧୀନକୁ ଆଣିବା ପାଇଁ ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାଶ।

Related posts