ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ବଣ୍ଟନ ହେଲା ସଚେତନତା ବାର୍ତ୍ତା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଜାତୀୟ ବିଦ୍ୟୁତ ସଚେତନତା ସପ୍ତାହ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଏକ ବ୍ୟାପକ ବିଦ୍ୟୁତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଳିତ ଭାବେ ଗ୍ରାମବାସୀଙ୍କ ମଧ୍ୟରେ ବିଦ୍ୟୁତ ସୁରକ୍ଷା ଓ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବଣ୍ଟନ କରିଥିଲେ।
ଜୁନ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ପାଳିତ ହେଉଥିବା ଜାତୀୟ ବିଦ୍ୟୁତ ସଚେତନତା ସପ୍ତାହ ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନେତୃତ୍ୱରେ ଏହି ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ୮୦ରୁ ଅଧିକ ଅଭିଭାବକଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଡିଭିଜନ ବିଦ୍ୟୁତ ବିଭାଗର ଯନ୍ତ୍ରୀ ସୁଜାତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟୁତ ସୁରକ୍ଷା ଓ ସଞ୍ଚୟ ସମ୍ପର୍କରେ ବିଭିନ୍ନ ଉପଯୋଗୀ ପରାମର୍ଶ ଦେଇଥିଲେ। ସେ ଘରେ ପୁରୁଣା ଓ ଛିଣ୍ଡା ବିଦ୍ୟୁତ ତାର ପରିବର୍ତ୍ତନ କରିବା, ୫-ଷ୍ଟାର ରେଟିଂ ବିଶିଷ୍ଟ ବିଦ୍ୟୁତ ସରଞ୍ଜାମ ବ୍ୟବହାର କରି ଶକ୍ତି ସଞ୍ଚୟ କରିବା ଏବଂ ଅନାବଶ୍ୟକ ଭାବେ ଫ୍ରିଜରେ ଅଧିକ ସାମଗ୍ରୀ ନ ରଖିବା ପରି ବିଷୟରେ ସଚେତନ କରିଥିଲେ।
ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଉଥିବା ବିଦ୍ୟୁତ ତାରର ଭୟାବହ ପରିଣାମ, ବଜ୍ରପାତ ସମୟରେ ଅବଲମ୍ବନ କରିବାକୁ ଥିବା ସୁରକ୍ଷା ପଦକ୍ଷେପ ଏବଂ ବିଦ୍ୟୁତର ସୁରକ୍ଷିତ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ବିଦ୍ୟୁତ ସୁରକ୍ଷା ଓ ଶକ୍ତି ସଂରକ୍ଷଣ ସମ୍ବଳିତ ୨୫ଟି ସଂକ୍ଷିପ୍ତ ସଚେତନତା ଭିଡିଓ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଶକ୍ତି ସଂରକ୍ଷଣ ଓ ବିଦ୍ୟୁତ ସୁରକ୍ଷାକୁ ନେଇ ସମସ୍ତେ ଶପଥପାଠ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିଦ୍ୟୁତ ସଚେତନତା ସମ୍ବଳିତ ୩୫ଟି ବାର୍ତ୍ତା ଥିବା ପ୍ରଚାରପତ୍ର ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗ୍ରାମ ପରିକ୍ରମା କରି ଲୋକଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
