ଗରିବ ପରିବାରର ଦୁଇ ଶିଶୁଙ୍କ ଜୀବନରେ ନୂଆ ଆଲୋକ; ସମାଜସେବୀ ପ୍ରଭାସିନୀ ନନ୍ଦଙ୍କ ମାନବିକ ପଦକ୍ଷେପକୁ ପ୍ରଶଂସା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ଓଲ୍ଡ ଟାଉନସ୍ଥିତ ଭୋଇ ସାହିର ଆରତୀ ଦେଇ ନାମକ ଜଣେ ଅସହାୟ ମହିଳା ଜରି, ପ୍ଲାଷ୍ଟିକ ଓ ବୋତଲ ଗୋଟାଇ ଜୀବିକା ନିର୍ବାହ କରୁଥିଲେ। ପରିବାରର ଆର୍ଥିକ ଅଭାବ ଯୋଗୁଁ ତାଙ୍କର ଦୁଇ ପୁଅ ଚନ୍ଦନ ଓ ଆୟୁଷ ମଧ୍ୟ ପାଠପଢ଼ା ଛାଡ଼ି ଏହି କାମରେ ମା’ଙ୍କୁ ସହଯୋଗ କରୁଥିଲେ।

ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ତ୍ରିନାଥ ଛକ, ଯଦୁମଣି ନଗରର ବାସିନ୍ଦା ସୂର୍ଯ୍ୟମଣୀ ପ୍ରଧାନ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ଅବଗତ କରାଇଥିଲେ। ଖବର ପାଇବା ପରେ ସୁଶ୍ରୀ ନନ୍ଦ ତୁରନ୍ତ ଆରତୀ ଦେଇ ଓ ତାଙ୍କ ଦୁଇ ପୁଅଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଇ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ଏହା ସହ ସେ ପିଲାମାନଙ୍କର ରହିବା, ଖାଇବା, ପଢ଼ିବା ଓ ପୋଷାକ ଆଦି ସମସ୍ତ ବ୍ୟବସ୍ଥା ମାଗଣାରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁଶ୍ରୀ ନନ୍ଦଙ୍କ ଉଦ୍ୟମ ଫଳରେ ଆଜି ଚନ୍ଦନ ଓ ଆୟୁଷ ହଷ୍ଟେଲରେ ରହି ସ୍କୁଲରେ ପାଠପଢ଼ା ଆରମ୍ଭ କରିବାକୁ ସୁଯୋଗ ପାଇଛନ୍ତି। ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଥିବାରୁ ଉଭୟ ଶିଶୁ ବେଶ ଆନନ୍ଦିତ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ସମାଜସେବୀ ପ୍ରଭାସିନୀ ନନ୍ଦ ପୂର୍ବରୁ ମଧ୍ୟ ଅନେକ ଗରିବ, ଅସହାୟ ଓ ଅନାଥ ଶିଶୁଙ୍କୁ ଆଶ୍ରୟ ଦେଇ ସେମାନଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିଆସୁଛନ୍ତି। ଅନାଥ ଓ ଦରିଦ୍ର ଶିଶୁଙ୍କ ଉନ୍ନତି ପାଇଁ ତାଙ୍କର ଦୀର୍ଘଦିନର ସମର୍ପିତ ସେବା ଜିଲ୍ଲାରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ନୟାଗଡ଼ରେ ଅସହାୟ ଓ ଅନାଥ ଶିଶୁଙ୍କ ପାଇଁ ତାଙ୍କର କାର୍ଯ୍ୟ ବ୍ୟାପକ ଭାବେ ପ୍ରଶଂସିତ ହୋଇଆସୁଛି। ଏହି ମାନବିକ ପଦକ୍ଷେପ ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି। ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି।

Related posts