ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ, ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ପବିତ୍ର ରଥଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପ୍ରମୁଖ ରଥଯାତ୍ରା ଭାବେ ପରିଚିତ ନୟାଗଡ଼ ରଥଯାତ୍ରାକୁ ନେଇ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଅଗ୍ନିଶମ ବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ବିଭାଗ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରସ୍ତୁତି ସମ୍ପର୍କରେ ମତାମତ ରଖିଥିଲେ। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଦିଗରେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର କରିଥିବା ବୈଠକରେ ପ୍ରକାଶ ପାଇଥିଲା।

Related posts