ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଆଜି ନୟାଗଡ଼ ସହରର ବାରମାସୀ ଲେନ୍‌ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ବିରୋଧରେ ସମାଜରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ନୟାଗଡ଼ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅବିନାଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠି ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପ୍ରାରମ୍ଭରେ କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ତାହାର ସାମାଜିକ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସହ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟନାରାୟଣ ମହାନ୍ତି, ପ୍ରଦୀପ୍ତ ରଞ୍ଜନ ପ୍ରଧାନ, ଶୁଭେନ୍ଦ୍ର କୁମାର ଦାସ ଓ ହୃଦୟ ରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କମ୍ପ୍ୟୁଟର ସହକାରୀ ବିଷ୍ଣୁ ପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିଶୁ ଶ୍ରମର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବା ଓ ସେମାନଙ୍କ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗରିବୀ, ଅଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଅନେକ ଶିଶୁ ଆଜି ନିଜର ଶୈଶବ ହରାଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ କେବଳ ସରକାରୀ ଆଇନ ଯଥେଷ୍ଟ ନୁହେଁ, ବରଂ ସମାଜର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ୫୦ରୁ ଅଧିକ ତାଲିମପ୍ରାପ୍ତ ଓ ତାଲିମ ନେଉଥିବା ହିତାଧିକାରୀ ଯୋଗଦେଇ ଶିଶୁ ଶ୍ରମ ବିରୋଧରେ ସଚେତନତା ବାର୍ତ୍ତା ପ୍ରଚାର କରିବାକୁ ସଂକଳ୍ପ ନେଇଥିଲେ।
“ଶିଶୁ ଶ୍ରମକୁ ନା କୁହନ୍ତୁ, ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ଅଧିକାର ଦିଅନ୍ତୁ” ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Related posts