ଦୁଇ ଗାଁ ମଧ୍ୟରେ ବର୍ଷ ବର୍ଷର ସୀମା ବିବାଦର ଅନ୍ତ, ତହସିଲଦାରଙ୍କ ହସ୍ତକ୍ଷେପରେ ସମାଧାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମପଞ୍ଚାୟତର ବିରୁଡ଼ା ଓ ବାଘରା ଗ୍ରାମ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ଶେଷରେ ସମାଧାନ ହୋଇଛି। ନୟାଗଡ଼ ତହସିଲଦାର ରାଜେଶ ସ୍ୱାଇଁଙ୍କ ସିଧାସଳଖ ହସ୍ତକ୍ଷେପ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜଟିଳ ସମସ୍ୟାର ସଫଳ ସମାଧାନ ହୋଇଥିବାରୁ ଦୁଇ ଗ୍ରାମରେ ଖୁସିର ମାହୋଲ ଦେଖାଦେଇଛି।

ସୂଚନା ଅନୁଯାୟୀ, ପାଣ୍ଡେରି ପାଟଣା ସାହିର ମଶାଣି ଜମି ଓ ବାଘରା ଗ୍ରାମର ଖେଳ ପଡ଼ିଆକୁ କେନ୍ଦ୍ର କରି ବର୍ଷ ବର୍ଷ ଧରି ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ଏହାକୁ ଅଧିକ ଜଟିଳ କରୁଥିବା ଅଭିଯୋଗ ହୋଇଥିଲା।

ତହସିଲ ପ୍ରଶାସନ ପକ୍ଷରୁ ପୂର୍ବରୁ ତିନିଥର ଜମି ମାପଚୁପ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିଲା। ଶେଷରେ ନୟାଗଡ଼ ତହସିଲଦାର ରାଜେଶ ସ୍ୱାଇଁ ଓ ଯୁବ ସମାଜସେବୀ ମିତ୍ରବନ୍ଧୁ ପଲେଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗ୍ରାମର ଶତାଧିକ ଲୋକଙ୍କ ଉପସ୍ଥିତିରେ ପୁନର୍ବାର ସୀମା ନିର୍ଦ୍ଧାରଣ କରିଥିଲେ।

ସଠିକ୍ ମାପଚୁପ ଓ ଆଲୋଚନା ପରେ ଉଭୟ ପକ୍ଷ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରିଥିବାରୁ ଦୀର୍ଘ ଦିନର ବିବାଦର ଅବସାନ ଘଟିଛି। ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ତହସିଲଦାରଙ୍କ ସମେତ ପ୍ରଶାସନର ଭୂମିକାକୁ ପ୍ରଶଂସା କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ଏହାଦ୍ୱାରା ଭାଇଚାରା ଓ ସାମାଜିକ ସମ୍ପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

Related posts