ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଚୌବଙ୍ଗ ଅନ୍ତର୍ଗତ ବାଲିସାହି ନିକଟସ୍ଥ ଏରୁଣ୍ଡିପଥର ରାସ୍ତା କଡ଼ରୁ ଜଣେ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ବାଲିସାହି ନିକଟ ଏକ ନିଛାଟିଆ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ପ୍ରଥମେ ମୃତକଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗଣିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
ତେବେ ସନ୍ଧ୍ୟା ସମୟରେ ମୃତ ଯୁବକଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ମୃତ ଯୁବକ ଜଣକ ଖଣ୍ଡପଡ଼ା ବ୍ଲକ କନ୍ଧମିରିଗି ଗ୍ରାମର ବୋଲି ଜଣାପଡ଼ିଛି। ପରିଚୟ ମିଳିବା ପରେ ପୋଲିସ ଏହି ଦିଗରେ ନିଜର ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇଛି। ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ସାଇଣ୍ଟିଫିକ୍ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ।
ଗଣିଆ ବାଲିସାହି ନିକଟରୁ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
