ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ‘ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସମାଜର ବିଭିନ୍ନ ଦିଗ ଓ ମଣିଷର ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରି ଦର୍ଶକଙ୍କ ମନ ଜିଣିପାରିଛି। ନାଟକଟିର ମୂଳ ଭାବଧାରା ‘ପୃଥିବୀରେ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି’ ଉପରେ ଆଧାରିତ। ଛୋଟ ହେଲେ ମଧ୍ୟ ଓଡ଼ଶର ଜୀବନ ଅଛି, ସେ ମଣିଷ ପରି ଖାଏ, ବୁଲେ ଏବଂ ତା’ର ମଧ୍ୟ ସଂସାର ଅଛି। ନାଟକରେ ଓଡ଼ଶ ଓ ମଣିଷ ମଧ୍ୟରେ ଥିବା ତୁଳନାତ୍ମକ ଚିତ୍ରକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ମଣିଷର ରକ୍ତ ଶୋଷି ଓଡ଼ଶ ପେଟ ପୁରାଇଥାଏ, କିନ୍ତୁ ପେଟ ପୁରିଗଲେ ସେ ଆଉ କାହାରି କ୍ଷତି କରେ ନାହିଁ। ଅପରପକ୍ଷରେ, ମଣିଷର ଅହରହ ଭୋକ—ଖାଦ୍ୟ, ସମ୍ମାନ ଏବଂ ଅହଂକାରର ବଶବର୍ତ୍ତୀ ହୋଇ  ସେ କିଭଳି ନିଜକୁ ଗଢ଼ିଥାଏ, ତାହା ଏହି ନାଟକର ମୁଖ୍ୟ ଆକର୍ଷଣ ଥିଲା। ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି।

ମଞ୍ଚରେ ଡ. ମମତା ତ୍ରିପାଠୀ, ଦୀପାଞ୍ଜଳି ମହାନ୍ତି, ପବିତ୍ର ମହାନ୍ତି, ସୁନୀଲ ପଟ୍ଟନାୟକ, ରାକେଶ ମହାନ୍ତି, ସୁନୀଲ ନାୟକ ଓ ସନ୍ତୋଷ ରାଉଳ ପ୍ରମୁଖ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ। ନାଟକର ସଙ୍ଗୀତ ନିର୍ଦ୍ଦେଶନା ପ୍ରତାପ ରାଉତ ଦେଇଥିବା ବେଳେ ଆଲୋକ ସମ୍ପାଦନା ଅଜିତ ବିଶ୍ୱାଳ କରିଥିଲେ। ସେହିପରି ରୂପସଜ୍ଜା ଓ ପୋଷାକରେ ‘ମାମା ଚିତ୍ରାଳୟ’ ଏବଂ ମଞ୍ଚ ସଜ୍ଜାରେ ‘ତ୍ରିମୂର୍ତ୍ତି’ ଗ୍ରୁପ୍ ସହଯୋଗ କରିଥିଲେ।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ ସ୍ୱାଇଁ  ଯୋଗଦାନ କରି ନାଟକକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ନିରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନାଟକର ରଚୟିତା ଶରତ ଆଚାର୍ଯ୍ୟ, ଉପ ସଭାପତି ସୁରେନ୍ଦ୍ର ସାହୁ, ସଂଯୋଜକ କାମାକ୍ଷା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ କବି ଗୋପୀନାଥ ସେଠି ମଞ୍ଚ ପରିଚାଳନା କରିଥିଲେ। ନୟାଗଡ଼ର ଶତାଧିକ ନାଟ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିଥିଲେ।

Related posts