ଖଣ୍ଡପଡା ଏସଡ଼ିପିଓ ମଦନଙ୍କୁ ନିଲମ୍ବନ ସହିତ ଗିରଫ ନକଲେ କଂଗ୍ରେସ କରିବ ମହିଳା ଆନ୍ଦୋଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସପି ଏସ ସୁଶ୍ରୀଙ୍କ ଅପାରଗତା ପାଇଁ ଜିଲ୍ଲାରେ ଆଇନଶୃଙ୍ଖଳା ବେଲଗାମ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ଏସପି ଏସ ସୁଶ୍ରୀ ସମ୍ପୂର୍ଣ୍ଣ ବିଫଳ। ନୟାଗଡ଼ ଜିଲ୍ଲାରେ ଏସପି କିଏ ଏସ ସୁଶ୍ରୀ ନା ସୁବାସ ଚନ୍ଦ୍ର ପଣ୍ଡା ତାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି ବୋଲି ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଥାନାରେ ଚୋରି ରାହାଜାନି, ଡକାୟତି କ୍ରମଶଃ ବୃଦ୍ଧି ପାଉଛି। ପ୍ରଚୁର ଦେଶୀ ମଦ, ଚୋରା ଗଞ୍ଜେଇ ଏବଂ ଧଳା ଜହର କାରବାରରେ ଜିଲ୍ଲା ହବ ପାଲଟିଛି। ମହାନଦୀରୁ ବେଆଇନ ବାଲି ଚାଲାଣ, ମାଙ୍କେଡା ପଥର ବେଆଇନ ଖନନ, ଚୋରାଚାଲାଣ ସବୁ ପୋଲିସ ଜାଣତରେ ଚାଲିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି ।

ଖଣ୍ଡପଡା ଏସଡ଼ିପିଓ ମଦନମୋହନ ପ୍ରଧାନ ଜଣେ ପୀଡିତା ମହିଳାଙ୍କୁ ତାଙ୍କ ସହ ରାତି ବିତାଇବା ପାଇଁ ପ୍ରେମାଳାପ କରିବା ନୟାଗଡ଼ରେ ଖାକିରେ କଳଙ୍କ ଲାଗିଛି, ଜିଲ୍ଲାରେ ପୋଲିସ ନିନ୍ଦିତ ହୋଇଛି। ସମ୍ପୃକ୍ତ ଏସଡ଼ିପିଓଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ଗିରଫ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଏହାକୁ ଗୁରୁତ୍ବ ପ୍ରସଙ୍ଗ ଭାବେ ନେଇ ପ୍ରଦେଶ ମହିଳା କଂଗ୍ରେସ ବରିଷ୍ଠ ଉପସଭାନେତ୍ରୀ ପ୍ରଣତି ମିଶ୍ର, ବିଶ୍ୱକଲ୍ୟାଣୀ କର ଏବଂ ସାଧାରଣ ସମ୍ପାଦିକା ସିଲି ସେଠୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏସପିଙ୍କ ବଦଳି ଏବଂ ଏସଡ଼ିପିଓ ଗିରଫ ସହିତ ନିଲମ୍ବନ କରି ପୀଡିତା ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହେଲେ ମହିଳା କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।

Related posts