ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ଼ ଏବଂ ‘ମୈତ୍ରୀ ଯୁବ ସଂସଦ’ର ମିଳିତ ଆନୁକୁଲ୍ୟରେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା, ମଞ୍ଚସଜ୍ଜା, ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ, ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ ।
ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ ଶୂରଦେଓ ହିଁ ଓଡ଼ିଶାରେ ପ୍ରଥମ ଥିଲେ । ଏହିପରି ଜଣେ ବହୁମୂଖୀ ପ୍ରତିଭା ଯେ କେବଳ ନାଟ୍ୟଜଗତରେ ପ୍ରସିଦ୍ଧି ଲାଭ କରିଥିଲେ ତା ନୁହେଁ ଓଡ଼ିଶାର ଜାତୀୟ ଆନ୍ଦୋଳନରେ ଭାଗ ନେଇ ରଚନା କରିଥଲେ ଅନେକ ଦେଶାତ୍ମବୋଧ ସଙ୍ଗୀତ । ଏପରିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସ୍ୱର୍ଗତ ଶୂରଦେଓଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଯୁବ ମୈତ୍ରୀ ସଂସଦ ସଂପାଦକ ପ୍ରଦୀପ କୁମାର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଅନାଦି ଚରଣ ମହାନ୍ତି, ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ, କବି ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ, ଦେବେନ୍ଦ୍ର ପରମଗୁରୁ ଏବଂ ପ୍ରଦୀପ୍ତ ଡାକୁଆ ପ୍ରମୁଖ ଯୋଗଦାନ କରି ନାଟ୍ୟରଥିଙ୍କ ସ୍ମୃତିଚାରଣ କରିଥିଲେ।
